ବେଙ୍ଗାଲୁରୁ: ତମାଖୁ ଓ ନିକୋଟିନ୍ ବିରୋଧରେ କର୍ଣ୍ଣାଟକ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ରାଜ୍ୟରେ ତମାଖୁ କିମ୍ବା ନିକୋଟିନ୍ ଥିବା ସମସ୍ତ ପ୍ରକାରର ଗୁଟଖା ଓ ପାନ ମସଲା ଉପରେ ଏକ ବର୍ଷ ପାଇଁ ନିଷେଧାଦେଶ ଜାରି କରାଯାଇଛି।ଅଗଷ୍ଟ ୧୦ ତାରିଖରେ ସରକାର ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ନିଶାମୁକ୍ତ କର୍ଣ୍ଣାଟକ ଗଠନ ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ସରକାର କହିଛନ୍ତି।
ନୂଆ ନିୟମ ଅନୁସାରେ ନିଷିଦ୍ଧ ଗୁଟଖା ଓ ପାନ ମସଲାର ଉତ୍ପାଦନ, ସଂରକ୍ଷଣ, ପରିବହନ, ବଣ୍ଟନ ଏବଂ ବିକ୍ରି ଉପରେ କଟକଣା ଲାଗିଛି। ତେବେ ଏହାର ବ୍ୟବହାର ବା କଞ୍ଜପସନ୍ ଉପରେ ସରକାରୀ ବିଜ୍ଞପ୍ତିରେ ସିଧାସଳଖ କୌଣସି ନିଷେଧ ବିଷୟରେ ଉଲ୍ଲେଖ ନାହିଁ।ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ସାରା ରାଜ୍ୟରେ ଯାଞ୍ଚ ଓ ଚଢ଼ାଉ ଅଭିଯାନ ଚାଲିଛି। ନିଷିଦ୍ଧ ସାମଗ୍ରୀର ଉତ୍ପାଦନ, ମହଜୁଦ, ପରିବହନ କିମ୍ବା ବିକ୍ରି ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଖାଦ୍ୟ ସୁରକ୍ଷା ଓ ମାନକ ଆଇନ୍, ୨୦୦୬ର ଧାରା ୩୦(୨)(a) ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରି ପ୍ରତିବନ୍ଧକ ଏବଂ କଟକଣା) ନିୟମାବଳୀ, ୨୦୧୧ର ନିୟମ ୨.୩.୪ ଆଧାରରେ ଏହି ନିଷେଧାଦେଶ ଜାରି ହୋଇଛି। ବିଜ୍ଞପ୍ତି ପ୍ରକାଶ ତାରିଖରୁ ଆଗାମୀ ଏକ ବର୍ଷ ଯାଏଁ ଏହି ବ୍ୟାନ୍ ବଳବତ୍ତର ରହିବ।ସରକାର ଲୋକଙ୍କୁ ଏହି ଅଭିଯାନରେ ସହଯୋଗ କରିବାକୁ ଅପିଲ୍ କରିଛନ୍ତି। ନିଷିଦ୍ଧ ତମାଖୁ କିମ୍ବା ନିକୋଟିନ୍ ଯୁକ୍ତ ସାମଗ୍ରୀର ଉତ୍ପାଦନ, ବିକ୍ରି କିମ୍ବା ବଣ୍ଟନ ସମ୍ପର୍କରେ ସୂଚନା ମିଳିଲେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି।

