ନୂଆଦିଲ୍ଲୀ: ମହିଳା ଦିଲ୍ଲୀ ପ୍ରିମିୟର ଲିଗ୍ ୨୦୨୬ରେ ଜଣେ ଯୁବ କ୍ରିକେଟରଙ୍କ ବୋଲିଂ ଅପେକ୍ଷା ତାଙ୍କର ଅନନ୍ୟ ସେଲିବ୍ରେସନ୍ ଏବେ ଅଧିକ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ତାଙ୍କ ସେଲିବ୍ରେସନ୍ର ଭିଡିଓ ଦ୍ରୁତଗତିରେ ଭାଇରାଲ୍ ହେଉଛି।
ଏହି ଯୁବ କ୍ରିକେଟର ହେଉଛନ୍ତି ଦିଲ୍ଲୀର ୨୦ ବର୍ଷୀୟା ଅଲରାଉଣ୍ଡର ମେଧାବୀ ବିଧୂରୀ।ମେଧାବୀ ଚଳିତ ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ସେଣ୍ଟ୍ରାଲ କିଙ୍ଗ୍ସ ପକ୍ଷରୁ ଖେଳୁଛନ୍ତି। ଗତ ୨୦ ତାରିଖରେ ଦିଲ୍ଲୀ ସୁପରଷ୍ଟାର୍ସ ବିପକ୍ଷ ମ୍ୟାଚ୍ରେ ସେ ଦୁଇଟି ୱିକେଟ୍ ନେଇଥିଲେ। ୱିକେଟ୍ ହାସଲ କରିବା ପରେ ମେଧାବୀଙ୍କ ଭିନ୍ନ ଧରଣର ସେଲିବ୍ରେସନ୍ ଦର୍ଶକଙ୍କ ନଜରକୁ ଆସିଥିଲା। ପରେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଥିଲା।ମେଧାବୀ ୨୦୦୫ ଅକ୍ଟୋବର ୨୯ରେ ଜନ୍ମଗ୍ରହଣ କରିଛନ୍ତି। ସେ ଦିଲ୍ଲୀ ପାଇଁ ଘରୋଇ କ୍ରିକେଟ୍ ଖେଳିବା ସହ ଜଣେ ଅଲରାଉଣ୍ଡର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଗତ ସଂସ୍କରଣରେ ସେ ଦକ୍ଷିଣ ଦିଲ୍ଲୀ ସୁପରଷ୍ଟାର୍ସ ପକ୍ଷରୁ ମଧ୍ୟ ଖେଳିଥିଲେ।
ମ୍ୟାଚ୍ ପରେ ନିଜର ଚର୍ଚ୍ଚିତ ସେଲିବ୍ରେସନ୍ ବିଷୟରେ ମେଧାବୀ କହିଥିଲେ ଯେ, ଏହା ‘୬-୭’ ସେଲିବ୍ରେସନ୍। ତାଙ୍କ ସାନ ଭଉଣୀ Gen-Z ପିଢ଼ିର ହୋଇଥିବାରୁ ସେ ଜର୍ସି ନମ୍ବର ୬୭ ରଖିବା ଏବଂ ଏହି ଷ୍ଟାଇଲ୍ରେ ସେଲିବ୍ରେସନ୍ କରିବାକୁ ପରାମର୍ଶ ଦେଇଥିଲେ।ଦୁଇଟି ୱିକେଟ୍ ନେବା ନେଇ ମେଧାବୀ କହିଥିଲେ ଯେ, ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ବ୍ୟାଟରଙ୍କୁ ରନ୍ କରିବାର ସୁଯୋଗ ନଦେବା। ବିଶେଷକରି ବଲ୍ ବାଉଣ୍ଡ୍ରି ଯିବା ବଦଳରେ ଡଟ୍ ବଲ୍ ହେଉ ବୋଲି ସେ ଚାହୁଁଥିଲେ।ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରୁ ଦଳ ଅନେକ କିଛି ଶିଖିଛି ବୋଲି ମେଧାବୀ କହିଥିଲେ। ଆଗାମୀ ମ୍ୟାଚ୍ଗୁଡ଼ିକରେ ଦଳର ବ୍ୟାଟରମାନେ ଆହୁରି ଭଲ ପ୍ରଦର୍ଶନ କରିବେ ଏବଂ ନିଜର ଶକ୍ତି ପ୍ରମାଣ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

