ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ ହୋଇଛି ବିଶ୍ବର ସବୁଠୁ ଅସାଧାରଣ କୁକୁର ପ୍ରତିଯୋଗିତା। ଏହି ୫୦ତମ ବାର୍ଷିକ ପ୍ରତିଯୋଗିତାରେ ୨୦୨୬ର ବିଜେତା ହୋଇଛି ୬ ବର୍ଷୀୟ ପଗ୍ ଜାତିର କୁକୁର ‘ଜିନ୍ନି ଲୁ’।ଅଗଷ୍ଟ ୧୪ରେ ସାଣ୍ଟା ରୋଜା ସହରରେ ଏହି ପ୍ରତିଯୋଗିତା ହୋଇଥିଲା।
ବିଭିନ୍ନ ଅଜବ ଦିଶୁଥିବା କୁକୁରଙ୍କୁ ନେଇ ପରେଡ୍ କରାଯିବା ପରେ ସେମାନଙ୍କ ରୂପ ଓ ବିଶେଷତ୍ୱ ଆଧାରରେ ମୂଲ୍ୟାୟନ କରାଯାଇଥିଲା। ଶେଷରେ ଜିନ୍ନି ଲୁ ପ୍ରଥମ ସ୍ଥାନ ହାସଲ କରିଥିଲା। ବିଜେତା କୁକୁରର ମାଲିକାଣୀ ମିଚେଲ୍ ଗ୍ରାଡିଙ୍କୁ ପୁରସ୍କାର ଭାବେ ୫,୦୦୦ ଡଲାର ମିଳିଛି।ମିଚେଲ୍ଙ୍କ କହିବା ଅନୁସାରେ, ପ୍ରାୟ ଚାରି ବର୍ଷ ପୂର୍ବେ ସେ ଜିନ୍ନି ଲୁକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏହା ପୂର୍ବରୁ ଚାରିଥର ପ୍ରତିଯୋଗିତାରେ ଭାଗ ନେଇଥିଲେ ମଧ୍ୟ ଏଥର ହିଁ ବିଜୟ ମିଳିଛି।
ଦ୍ବିତୀୟ ଓ ତୃତୀୟ ସ୍ଥାନର ବିଜେତାଙ୍କୁ ଯଥାକ୍ରମେ ୩,୦୦୦ ଓ ୨,୦୦୦ ଡଲାର ପୁରସ୍କାର ମିଳିଛି।ଦେଖିବାକୁ ଅଲଗା ହୋଇଥିଲେ ମଧ୍ୟ ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ କୁକୁରମାନଙ୍କୁ ଉପହାସ କରିବା ନୁହେଁ। ବରଂ ଭିନ୍ନ ଦିଶୁଥିବା କୁକୁରମାନଙ୍କର ନିଜସ୍ବ ବିଶେଷତ୍ୱକୁ ସାମ୍ନାକୁ ଆଣିବା ଏବଂ ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଲୋକଙ୍କୁ ପ୍ରେରିତ କରିବା ଏହାର ମୁଖ୍ୟ ଲକ୍ଷ୍ୟ।

