ଢାକା, ୨୩/୦୮ : ବାଂଲାଦେଶର ରଙ୍ଗପୁରରେ ଏକ ହିନ୍ଦୁ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଏକ ବନ୍ଦ ଘର ଭିତରୁ ଉଦ୍ଧାର ହେବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକମାନେ ହେଲେ ଅବସରପ୍ରାପ୍ତ ଶିକ୍ଷକ ଗଣପତି ଚକ୍ରବର୍ତ୍ତୀ, ତାଙ୍କ ପତ୍ନୀ ପ୍ରୀତିଲତା, ଝିଅ ଅଗାମୀ ଏବଂ ୧୨ ବର୍ଷୀୟ ପୁଅ ପ୍ରିୟମ।
ରିପୋର୍ଟ ଅନୁସାରେ, ରଙ୍ଗପୁର ସହରର ଦାସପାରା ଅଞ୍ଚଳରେ ଏହି ଘଟଣା ଘଟିଛି। ଶନିବାର ରାତିରେ ଘର ଭିତରୁ ଚାରିଜଣଙ୍କ ମୃତଦେହ ମିଳିଥିଲା। ଘରର ମୁଖ୍ୟ ଦ୍ୱାର ବନ୍ଦ ଥିବାବେଳେ ଭିତରର ସମସ୍ତ ଲାଇଟ୍ ମଧ୍ୟ ବନ୍ଦ ରହିଥିଲା। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲା।ପୁଲିସର ସୂଚନା ଅନୁଯାୟୀ, ମା’ ଓ ଝିଅଙ୍କ ମୃତଦେହ ସିଡ଼ି ନିକଟରୁ ମିଳିଥିବାବେଳେ ଗଣପତିଙ୍କ ମୃତଦେହ ଛାତରୁ ଏବଂ ପୁଅ ପ୍ରିୟମଙ୍କ ମୃତଦେହ ଖଟ ତଳୁ ଉଦ୍ଧାର ହୋଇଛି।
ଘଟଣାସ୍ଥଳରୁ ପୁଲିସ ଏବଂ ଫୋରେନସିକ୍ ଟିମ୍ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି।ପରିବାର ସହ ଯୋଗାଯୋଗ ନହେବାରୁ ସମ୍ପର୍କୀୟମାନଙ୍କ ସନ୍ଦେହ ବଢ଼ିଥିଲା। ଗଣପତିଙ୍କ ଶାଳୀ ପୂଜା ଚକ୍ରବର୍ତ୍ତୀ କହିଛନ୍ତି ଯେ, ଗୁରୁବାର ଅପରାହ୍ନରେ ସେ ତାଙ୍କ ଭଉଣୀଙ୍କ ସହ ଶେଷଥର କଥା ହୋଇଥିଲେ। ଏହାପରେ ପରିବାରର ସମସ୍ତଙ୍କ ମୋବାଇଲ୍ ଫୋନ୍ ବନ୍ଦ ଥିଲା। ଶନିବାର ରାତିରେ ସମ୍ପର୍କୀୟମାନେ ଘରକୁ ଯାଇ ପୁଲିସକୁ ଖବର ଦେଇଥିଲେ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗଣପତି ଗତବର୍ଷ ଡିସେମ୍ବର ୩୧ରେ ଶିକ୍ଷକତାରୁ ଅବସର ନେଇଥିଲେ। ଅବସର ପରେ ସେ ହୋମିଓପାଥିକ୍ ଚିକିତ୍ସକ ଭାବେ କାମ କରୁଥିଲେ।
ତାଙ୍କ ଝିଅ ଅଗାମୀ ଚଳିତ ବର୍ଷ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିବାବେଳେ ପୁଅ ପ୍ରିୟମ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ।ପରିବାରର କୌଣସି ଶତ୍ରୁ ନଥିବା ସମ୍ପର୍କୀୟମାନେ କହିଛନ୍ତି। ତେଣୁ ଏକାସାଙ୍ଗରେ ପରିବାରର ୪ ଜଣଙ୍କ ମୃତ୍ୟୁ କିପରି ଘଟିଲା ଏବଂ ଏହା ପଛରେ କାହାର ହାତ ରହିଛି, ତାହାକୁ ନେଇ ରହସ୍ୟ ଘନୀଭୂତ ହୋଇଛି।ରଙ୍ଗପୁର ମେଟ୍ରୋପଲିଟାନ ପୁଲିସ ଏବଂ ଫୋରେନସିକ୍ ଟିମ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଘଟଣାଟି ହତ୍ୟା ନା ଅନ୍ୟ କୌଣସି କାରଣରୁ ଘଟିଛି, ତଦନ୍ତ ପରେ ଏହା ସ୍ପଷ୍ଟ ହେବ।

