ନୂଆଦିଲ୍ଲୀ : ବିଶ୍ୱ ଫୁଟବଲର ମହାନ ତାରକା ତଥା ଆର୍ଜେଣ୍ଟିନାର କ୍ୟାପ୍ଟେନ ଲିୟୋନେଲ ମେସ୍ସିଙ୍କ ପାଇଁ ଆସିଛି ଦୁଃଖଦ ଖବର। ମେସ୍ସିଙ୍କ ପିତା ଜର୍ଜ ମେସ୍ସିଙ୍କ ଶନିବାର ୬୮ ବର୍ଷ ବୟସରେ ପରଲୋକ ହୋଇଛି। ଆର୍ଜେଣ୍ଟିନାର ରୋସାରିୟୋ ସହରର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ନେଇଥିବା ଜଣାପଡ଼ିଛି।
ରୋସାରିୟୋର ପ୍ରସିଦ୍ଧ କ୍ଲବ ନ୍ୟୁୱେଲସ୍ ଓଲ୍ଡ ବୟେଜ୍ ସୋସିଆଲ ମିଡିଆ ଜରିଆରେ ଜର୍ଜ ମେସ୍ସିଙ୍କ ଦେହାନ୍ତ ଖବର ଦେଇଛି। ସୂଚନା ଅନୁସାରେ, ଗତ କିଛି ମାସ ଧରି ସେ ଏକ ଅଜ୍ଞାତ ରୋଗରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ରୋଗ ସମ୍ପର୍କରେ ପରିବାର ପକ୍ଷରୁ ବିସ୍ତୃତ ସୂଚନା ପ୍ରକାଶ କରାଯାଇନଥିଲା।
ଜର୍ଜ ମେସ୍ସି କେବଳ ଲିୟୋନେଲଙ୍କ ପିତା ନୁହେଁ, ତାଙ୍କ ଫୁଟବଲ କ୍ୟାରିୟରର ଜଣେ ପ୍ରମୁଖ ସାଥୀ ଓ ମାର୍ଗଦର୍ଶକ ମଧ୍ୟ ଥିଲେ। ପତ୍ନୀ ସେଲିଆ କୁକିତିନୀଙ୍କ ସହ ମିଶି ସେ ମେସ୍ସିଙ୍କ ପ୍ରତିଭାକୁ ଆଗକୁ ନେବାରେ ବଡ଼ ଭୂମିକା ନେଇଥିଲେ। ନ୍ୟୁୱେଲସ୍ ଓଲ୍ଡ ବୟେଜ୍ ମଧ୍ୟ ଜର୍ଜଙ୍କୁ ମେସ୍ସିଙ୍କ ସଫଳତାର ପଛରେ ଥିବା ଜଣେ ମୁଖ୍ୟ ବ୍ୟକ୍ତି ଭାବେ ସ୍ମରଣ କରିଛି।
ଜର୍ଜ ମେସ୍ସି ପେସାରେ ଜଣେ କେମିକାଲ ଟେକ୍ନିସିୟାନ ଥିଲେ ଏବଂ ଷ୍ଟିଲ୍ ଶିଳ୍ପରେ କାମ କରୁଥିଲେ। ଯୁବାବସ୍ଥାରେ ସେ ଫୁଟବଲ ମଧ୍ୟ ଖେଳୁଥିଲେ। ମିଡଫିଲ୍ଡର ଭାବେ ସେ ନ୍ୟୁୱେଲସ୍ ଓଲ୍ଡ ବୟେଜର ଯୁବ ଦଳରେ ମଧ୍ୟ ଖେଳିଥିଲେ। କିନ୍ତୁ ଆର୍ଜେଣ୍ଟିନାର ବାଧ୍ୟତାମୂଳକ ସୈନ୍ୟ ସେବା ଯୋଗୁଁ ତାଙ୍କୁ ଫୁଟବଲ ଛାଡ଼ିବାକୁ ପଡ଼ିଥିଲା।
ଲିୟୋନେଲ ମେସ୍ସିଙ୍କ କ୍ୟାରିୟର ଗଢ଼ିବାରେ ଜର୍ଜଙ୍କ ଅବଦାନ ଅତ୍ୟନ୍ତ ବଡ଼ ଥିଲା। ସେ ମେସ୍ସିଙ୍କ ଏଜେଣ୍ଟ ଭାବେ ତାଙ୍କ ବ୍ୟବସାୟିକ ଓ ପେସାଦାର ଦାୟିତ୍ୱ ସମ୍ଭାଳୁଥିଲେ। ୨୦୦୦ ମସିହାର ଆରମ୍ଭରେ ଯୁବ ମେସ୍ସିଙ୍କୁ ଟ୍ରାୟଲ ପାଇଁ ବାର୍ସିଲୋନା ନେଇଯିବାରେ ମଧ୍ୟ ଜର୍ଜଙ୍କ ଭୂମିକା ଥିଲା। ପରେ ମେସ୍ସିଙ୍କ ପାଇଁ ଖୋଲିଥିଲା ବାର୍ସିଲୋନାର ପ୍ରସିଦ୍ଧ ଯୁବ ଏକାଡେମୀ ‘ଲା ମାସିଆ’ର ଦ୍ୱାର।
୨୦୦୫ରେ ପେସାଦାର ଫୁଟବଲରେ ପାଦ ରଖିଥିବା ମେସ୍ସି ପରବର୍ତ୍ତୀ ସମୟରେ ବିଶ୍ୱ ଫୁଟବଲର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ସେ ରେକର୍ଡ ୮ ଥର ବ୍ୟାଲୋନ୍ ଡି’ଓର୍ ଜିତିଛନ୍ତି। ୨୦୨୨ ଫିଫା ବିଶ୍ୱକପରେ ଆର୍ଜେଣ୍ଟିନାକୁ ଚାମ୍ପିୟନ କରିବାରେ ମଧ୍ୟ ତାଙ୍କ ଭୂମିକା ଐତିହାସିକ ରହିଥିଲା।
ମେସ୍ସିଙ୍କ ପିତାଙ୍କ ବିୟୋଗରେ ଫୁଟବଲ ଜଗତରୁ ଶୋକ ପ୍ରକାଶ ପାଇଛି। ଦକ୍ଷିଣ ଆମେରିକୀୟ ଫୁଟବଲ ମହଲ ମଧ୍ୟ ମେସ୍ସି ପରିବାର ପ୍ରତି ସମବେଦନା ଜଣାଇଛି। ଜର୍ଜ ମେସ୍ସିଙ୍କ ବିୟୋଗ ମେସ୍ସି ପରିବାର ପାଇଁ ଏକ ବଡ଼ ଶୂନ୍ୟତା ସୃଷ୍ଟି କରିଛି।

