ଭୁବନେଶ୍ବର : ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବର୍ତ୍ତମାନ ସେ ରାଜ୍ୟର ବିରୋଧୀ ଦଳ ନେତା । ଅନେକ ପ୍ରସଙ୍ଗରେ ମୁହଁ ଖୋଲୁଛନ୍ତି । ଶାସକ ଭାରତୀୟ ଜନତା ପାର୍ଟିକୁ ଅଡୁଆରେ ପକାଉଛନ୍ତି । ଏବେ ବିଜେଡି ପଞ୍ଚାୟତ ନିର୍ବାଚନ ଉପରେ ଫୋକସ କରୁଛି । ପଞ୍ଚାୟତ ଦଖଲ କରି ପୁଣି ନିଜ ସ୍ଥିତି ସୁଧାରିବାକୁ ପ୍ରୟାସ କରିବା ଲକ୍ଷ୍ୟରେ ରହିଛି । କିନ୍ତୁ ନବୀନଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।
2024 ରାଜ୍ୟ ବିଧାନସଭା ନିର୍ବାଚନରେ ନବୀନ ଦୁଇଟି ସିଟରୁ ଲଢିଥିଲେ । ସେ ନିଜ ପାରମ୍ପରିକ ସିଟ୍ ହିଞ୍ଜିଳିରୁ ପ୍ରାର୍ଥୀ ହୋଇଥିଲେ । ଏହାସହ କଣ୍ଟାବାଞ୍ଜିରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ । ତେବେ ଫଳ ଆଶିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଥିଲେ । କାରଣ ହିଞ୍ଜିଳିରୁ ନବୀନ ଜିତିଥିଲେ ବି କଣ୍ଟାବାଞ୍ଜିରୁ ପରାଜୟର ସାମ୍ନା କରିଥିଲେ । ଯାହା ଓଡିଶାବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ଚର୍ଚ୍ଚା ହେଉଛି ଯେ, 2029ରେ ନବୀନ ନିଜର ସିଟ୍ ପରିବର୍ତ୍ତନ କରିପାରନ୍ତି । ସେ ପୁଣି ଦୁଇଟି ଆସନରୁ ଲଢିବେ । ହେଲେ ଏଥର କଣ୍ଟାବାଞ୍ଜି ନୁହେଁ ଆଉ ଏକ ସିଟ୍ ରୁ ସେ ଭାଗ୍ୟ ପରୀକ୍ଷା କରିବେ । ଅନ୍ୟ ଦିଗରେ ହିଞ୍ଜିଳି ସେ ଛାଡିବେନି । ଏହା ତାଙ୍କର ଗଡ । କିନ୍ତୁ ବିଜେପି ନବୀନଙ୍କ ଏହି ଗଡକୁ ଦଖଲ କରିବାକୁ ପ୍ରୟାସ କରିବ । ଏମିତି ବି ବିଜେପିର ଫୋକସରେ ଗଞ୍ଜାମ ରହିଛି । ତେଣୁ ଏଥର ହୁଏତ ହିଞ୍ଜିଳି ଆସନ ନବୀନଙ୍କ ପାଇଁ ସେଫ୍ ନହୋଇପାରେ ।
କେହି କେହି କହୁଛନ୍ତି, ନବୀନ ରାଜଧାନୀ ଭୁବନେଶ୍ୱରରୁ କୌଣସି ଏକ ଆସନରୁ ଲଢିପାରନ୍ତି । ସେ ସୁଜାତା ରାଉତଙ୍କ ପାଇଁ ହିଞ୍ଜିଳି ଛାଡିବେ । କାରଣ ଭୁବନେଶ୍ୱରର ମଧ୍ୟରେ ବିଜେଡିର ଭଲ ଭୋଟ୍ ବ୍ୟାଙ୍କ୍ ରହିଛି । ଏହାସହ ଆଉ କିଛି ଆସନ ମଧ୍ୟ ବିଜେଡିର ଗଡ । ଯେଉଁଠି ଏବେବି ବିଜେପି ପଶିପାରିନି । ତେଣୁ ଏପରି କିଛି ସିଟ୍ ଉପରେ ବିଜେଡି ଆଖି ରଖିଛି । ତେବେ ନବୀନଙ୍କ ରଣନୀତି କଣ ରହିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

