ହାଇଦ୍ରାବାଦ: ସାଂସଦଙ୍କ ପୁଅ ଚଳାଉଥିବା ଦାମୀ କାର୍ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଏଯାଏ ଗିରଫ କରାଯାଇନାହିଁ। ବରଂ ପୋଲିସ ତାଙ୍କୁ ନୋଟିସ୍ ଜାରି କରିଛି।
ଅଭିଯୁକ୍ତ ହେଉଛନ୍ତି ଜନସେନା ପାର୍ଟିର ରାଜ୍ୟସଭା ସାଂସଦ ଲିଙ୍ଗମାନେନି ରମେଶଙ୍କ ୨୧ ବର୍ଷୀୟ ପୁଅ ଲିଙ୍ଗମାନେନି ସଞ୍ଜୁଷ। ଅଭିଯୋଗ ଅନୁସାରେ, ଅଗଷ୍ଟ ୧୬ ତାରିଖରେ ମାଧାପୁର ଅଞ୍ଚଳରେ ଏକ ଆଷ୍ଟନ୍ ମାର୍ଟିନ୍ କାର୍ ଧକ୍କାରେ ୨୬ ବର୍ଷୀୟା ଭାରତୀ ମୁଖୀଙ୍କ ମୃତ୍ୟୁ ଘଟିଥିଲା। ଭାରତୀ ଇନୋର୍ବିଟ୍ ମଲ୍ର ଲାଇଫଷ୍ଟାଇଲ୍ ଷ୍ଟୋର୍ରେ କାମ କରୁଥିଲେ।
ପୋଲିସ ଏଫ୍ଆଇଆର୍ ଅନୁସାରେ, ଘଟଣା ଦିନ ଭାରତୀ ତାଙ୍କ ସହକର୍ମୀ ପୂଜା ଅଶୋକ ଆଲୋନଙ୍କ ସହ ମଧ୍ୟାହ୍ନ ଭୋଜନ ପାଇଁ ନିକଟସ୍ଥ ଆଇଟିସି କୋହେନୁର ଅଞ୍ଚଳକୁ ଯାଇଥିଲେ। ଭୋଜନ ପରେ ଦୁହେଁ ଷ୍ଟୋର୍କୁ ଫେରୁଥିବା ସମୟରେ ଇନୋର୍ବିଟ୍ ମଲ୍ ସାମ୍ନାରେ ଭାରତୀ ରାସ୍ତା ପାର୍ ହେଉଥିଲେ।
ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଆଷ୍ଟନ୍ ମାର୍ଟିନ୍ କାର୍ (TG-09-G-0666) ତାଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଧକ୍କାରେ ଭାରତୀଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା।
ଦୁର୍ଘଟଣା ପରେ ଭାରତୀଙ୍କୁ ଉକ୍ତ କାର୍ରେ ଜୁବିଲି ହିଲ୍ସସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କ ସହକର୍ମୀ ପୂଜା ଘଟଣା ସମ୍ପର୍କରେ ଷ୍ଟୋର୍ ମ୍ୟାନେଜରଙ୍କୁ ଜଣାଇଥିଲେ। ମ୍ୟାନେଜର ପୋଲିସକୁ ସୂଚନା ଦେବା ପରେ ତଦନ୍ତ ଆରମ୍ଭ ହୋଇଥିଲା।
ଗିରଫ ବଦଳରେ ନୋଟିସ୍
ସାଇବରାବାଦ ପୋଲିସ ତଦନ୍ତ କରି କାର୍ଟି ଲିଙ୍ଗମାନେନି ସଞ୍ଜୁଷ ଚଳାଉଥିବା ଚିହ୍ନଟ କରିଛି। ତେବେ ଏଯାଏ ତାଙ୍କୁ ଗିରଫ କରାଯାଇନାହିଁ। ପୋଲିସ ତାଙ୍କୁ ନୋଟିସ୍ ଜାରି କରିଛି।
ମାଧାପୁର ଏସିପି ଚ. ଶ୍ରୀଧରଙ୍କ କହିବା ଅନୁସାରେ, ଏହି ମାମଲା ଜାମିନଯୋଗ୍ୟ ହୋଇଥିବାରୁ ଏବଂ ଏଥିରେ ସର୍ବାଧିକ ୭ ବର୍ଷରୁ କମ୍ ଦଣ୍ଡର ବ୍ୟବସ୍ଥା ଥିବାରୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ।
ଘଟଣାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୬(୧) ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ ଏବେ ଦୁର୍ଘଟଣାର ପ୍ରକୃତ କାରଣ, କାର୍ର ଗତି ଏବଂ ଅନ୍ୟାନ୍ୟ ପରିସ୍ଥିତି ନେଇ ତଦନ୍ତ ଜାରି ରଖିଛି।

