ପରଲୋକରେ ପ୍ରଣବ : ଏକ ଯୁଗର ଅନ୍ତ

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତକୁ ଲାଗିଛି ବଡ଼ ଝଟକା। ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ହୋଇଛି। ୮୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

ସୁମଧୁର କଣ୍ଠ ଓ ସ୍ୱତନ୍ତ୍ର ଗାୟନ ଶୈଳୀ ପାଇଁ ପ୍ରଣବ ପଟ୍ଟନାୟକ ଓଡ଼ିଆ ଶ୍ରୋତାଙ୍କ ମନରେ ଏକ ଅଲିଭା ଛାପ ଛାଡ଼ିଯାଇଛନ୍ତି। ଦୀର୍ଘ ଦଶନ୍ଧି ଧରି ତାଙ୍କ ସୁରିଲା କଣ୍ଠ ଓଡ଼ିଆ ସଙ୍ଗୀତପ୍ରେମୀଙ୍କୁ ମନୋରଞ୍ଜନ କରିଆସିଥିଲା।

୧୯୫୮ ମସିହାରେ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ‘ମା’ ଚଳଚ୍ଚିତ୍ରରୁ ସେ ନିଜର କଣ୍ଠଦାନ ଯାତ୍ରା ଆରମ୍ଭ କରିଥିଲେ। ପରେ ‘ଶ୍ରୀ ଲୋକନାଥ’, ‘ସୂର୍ଯ୍ୟମୁଖୀ’, ‘ସିନ୍ଦୂର ବିନ୍ଦୁ’, ‘ଶେଷ ଶ୍ରାବଣ’, ‘ଚିହ୍ନା ଅଚିହ୍ନା’ ଓ ‘ବତୀଘର’ ଭଳି ଚଳଚ୍ଚିତ୍ର ତାଙ୍କୁ ଓଡ଼ିଆ ସଙ୍ଗୀତ ଜଗତରେ ଅପାର ଲୋକପ୍ରିୟତା ଦେଇଥିଲା।

ନିଜର ଦୀର୍ଘ ଚଳଚ୍ଚିତ୍ର ଜୀବନରେ ସେ ଅନେକ ପ୍ରତିଷ୍ଠିତ ଜାତୀୟସ୍ତରର କଳାକାରଙ୍କ ସହ କାମ କରିଥିଲେ। ୨୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିବା ଜଣାପଡ଼େ। କେବଳ ସିନେମା ନୁହେଁ, ଅଣଚଳଚ୍ଚିତ୍ର ସଙ୍ଗୀତ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ।

ବେତାର, ଦୂରଦର୍ଶନ ଓ ବିଭିନ୍ନ ଆଲବମ ଜରିଆରେ ସେ ଅନେକ ଭଜନ ଓ ଆଧୁନିକ ସଙ୍ଗୀତ ଶ୍ରୋତାଙ୍କୁ ଭେଟି ଦେଇଥିଲେ। ୧୯୯୨ ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ ‘ଶବ୍-ଏ-ଗଜଲ’ ମୁକ୍ତିଲାଭ କରିଥିଲା। ‘ମାଝିରେ ଠୁ’ ଠାରୁ ‘ନିଝୁମ ରାତି’ ପର୍ଯ୍ୟନ୍ତ ତାଙ୍କ କଣ୍ଠରେ ଅନେକ ଗୀତ ଆଜି ବି ଶ୍ରୋତାଙ୍କ ମନରେ ସତେଜ ହୋଇ ରହିଛି।

୧୯୩୮ ମସିହା ଜାନୁଆରୀ ୨୦ରେ ଜନ୍ମଗ୍ରହଣ କରିଥିବା ପ୍ରଣବ ପଟ୍ଟନାୟକ ଓଡ଼ିଆ ସଙ୍ଗୀତକୁ ଦୀର୍ଘବର୍ଷ ଧରି ସମୃଦ୍ଧ କରିଥିଲେ। ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏକ ବଡ଼ ଅପୂରଣୀୟ କ୍ଷତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ