ନୂଆଦିଲ୍ଲୀ: ୨୦୨୬ ମସିହାର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ଆସନ୍ତା ୨୮ ଅଗଷ୍ଟରେ ହେବ। ଏହା ଏକ ଆଂଶିକ ଚନ୍ଦ୍ରଗ୍ରହଣ ହୋଇଥିବାରୁ ଚନ୍ଦ୍ରର ସମ୍ପୂର୍ଣ୍ଣ ଅଂଶ ପୃଥିବୀର ଛାୟା ମଧ୍ୟକୁ ଆସିବ ନାହିଁ। ତେବେ ଏହି ଗ୍ରହଣ ଭାରତରୁ ଦୃଶ୍ୟମାନ ହେବ କି ନାହିଁ ଏବଂ ଏହାର ସୂତକ କାଳ ଲାଗୁ ହେବ କି ନାହିଁ, ତାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ରହିଛି।ଭାରତୀୟ ସମୟ ଅନୁସାରେ ୨୮ ଅଗଷ୍ଟ ସକାଳ ୮ଟା ୪ ମିନିଟ୍ରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ। ସକାଳ ୯ଟା ୪୩ ମିନିଟ୍ରେ ଗ୍ରହଣର ପରମ ଗ୍ରାସ ହେବାକୁ ଥିବାବେଳେ ପୂର୍ବାହ୍ନ ୧୧ଟା ୨୧ ମିନିଟ୍ରେ ଗ୍ରହଣ ସମ୍ପୂର୍ଣ୍ଣ ଭାବେ ଶେଷ ହେବ। ଏହି ଖଗୋଳୀୟ ଘଟଣା ପ୍ରାୟ ୩ ଘଣ୍ଟା ୧୮ ମିନିଟ୍ ଧରି ଚାଲିବ।
ଭାରତରେ ଦେଖାଯିବ ନାହିଁ
୨୮ ଅଗଷ୍ଟର ଏହି ଚନ୍ଦ୍ରଗ୍ରହଣ ଭାରତରୁ ଦେଖିହେବ ନାହିଁ। ଗ୍ରହଣ ସମୟରେ ଭାରତରେ ଚନ୍ଦ୍ର ଦିଗନ୍ତ ତଳେ ରହିବା କାରଣରୁ ଏଠାରୁ ଏହା ଦୃଶ୍ୟମାନ ହେବ ନାହିଁ।ଏହି ଚନ୍ଦ୍ରଗ୍ରହଣ ୟୁରୋପ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଆଟଲାଣ୍ଟିକ୍ ମହାସାଗର ଏବଂ ପଶ୍ଚିମ ଏସିଆର କିଛି ଅଞ୍ଚଳରୁ ଦେଖାଯିବ।
ଭାରତରେ ଲାଗୁ ହେବନି ସୂତକ!
ଧାର୍ମିକ ମାନ୍ୟତା ଅନୁସାରେ, ଯେଉଁ ସ୍ଥାନରୁ ଗ୍ରହଣ ଦେଖାଯାଏ, ସେଠାରେ ସୂତକ କାଳ ପାଳନ କରାଯାଏ। ଭାରତରୁ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ ନାହିଁ ବୋଲି ଏଠାରେ ସୂତକ କାଳ ମାନ୍ୟ ହେବ ନାହିଁ।ସାଧାରଣତଃ ଚନ୍ଦ୍ରଗ୍ରହଣର ପ୍ରାୟ ୯ ଘଣ୍ଟା ପୂର୍ବରୁ ସୂତକ ଆରମ୍ଭ ହେବାର ଧାର୍ମିକ ପରମ୍ପରା ରହିଛି। କିନ୍ତୁ ଏଥର ଭାରତରେ ଗ୍ରହଣ ଦୃଶ୍ୟମାନ ନ ହେବାରୁ ଏହି ନିୟମ ପ୍ରଯୋଜ୍ୟ ହେବ ନାହିଁ। ମନ୍ଦିରରେ ଦେବନୀତି ସ୍ୱାଭାବିକ ଭାବେ ଚାଲିବ ଏବଂ ଦୈନନ୍ଦିନ ଖାଦ୍ୟପାନୀୟ କିମ୍ବା ସାଧାରଣ କାର୍ଯ୍ୟ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ।
ରକ୍ଷାବନ୍ଧନରେ ପଡ଼ିବନି ପ୍ରଭାବ
ଏଥର ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ରକ୍ଷାବନ୍ଧନ ଦିନ ପଡ଼ୁଛି। ତେବେ ଭାରତରେ ଗ୍ରହଣ ଦେଖାଯିବ ନାହିଁ ଏବଂ ସୂତକ ମଧ୍ୟ ମାନ୍ୟ ହେବ ନାହିଁ ବୋଲି ଧାର୍ମିକ ମତ ଅନୁସାରେ ରକ୍ଷାବନ୍ଧନ ପାଳନରେ କୌଣସି ବାଧା ରହିବ ନାହିଁ। ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତରେ ମଧ୍ୟ ଗ୍ରହଣ ଯୋଗୁଁ ପରିବର୍ତ୍ତନ ହେବ ନାହିଁ।

