ନୂଆଦିଲ୍ଲୀ: ୟେମେନରେ ପୁଣି ରକ୍ତରଞ୍ଜିତ ଆକ୍ରମଣ ଘଟିଛି। ଆତଙ୍କବାଦୀ ସଙ୍ଗଠନ ହୁତି ପକ୍ଷରୁ କରାଯାଇଥିବା ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣରେ ଅତି କମରେ ୩୦ ଜଣ ୟେମେନୀ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ସୈନ୍ୟ ଆହତ ହୋଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି।
ରିପୋର୍ଟ ଅନୁସାରେ, ଗୁରୁବାର ହୁତି ବିଦ୍ରୋହୀମାନେ ୟେମେନର ହାଦ୍ରାମାଉତ୍ ଓ ମାରିବ୍ ଅଞ୍ଚଳରେ ଥିବା ସେନା କ୍ୟାମ୍ପକୁ ଟାର୍ଗେଟ୍ କରି ମିସାଇଲ୍ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ କ୍ୟାମ୍ପରେ ସୈନ୍ୟଙ୍କ ସହ ଜରୁରୀକାଳୀନ ପ୍ରତିକ୍ରିୟା ଦଳର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ହଠାତ୍ ହୋଇଥିବା ଏହି ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ଘଟିଛି।
ହୁତିର ମୁଖପାତ୍ର ୟାହ୍ୟା ସାରି କହିଛନ୍ତି ଯେ, ଏହି ଅଭିଯାନରେ ମିସାଇଲ୍ ଓ ଡ୍ରୋନ୍ର ବ୍ୟବହାର କରାଯାଇଥିଲା। ଅନ୍ୟପକ୍ଷରେ ୟେମେନ ସେନାର ସୂଚନା ଅନୁସାରେ, ମାରିବ୍ର ଅଲ୍-ଜାୱା ଅଞ୍ଚଳରୁ ପ୍ରାୟ ୮ଟି ମିସାଇଲ୍ ନିକ୍ଷେପ କରାଯାଇଥିଲା, ଯାହା ଅଲ୍-ଥିନିୟା, ଅଲ୍-ଅବର ଓ ଅଲ୍-ରଉକ୍ ଅଞ୍ଚଳରେ ଥିବା ସେନା ଶିବିରକୁ ଆଘାତ କରିଥିଲା। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ବିଶ୍ଳେଷକଙ୍କ ମତରେ, ଦୀର୍ଘଦିନ ଧରି ଚାଲିଥିବା ୟେମେନର ଗୃହଯୁଦ୍ଧ ଏବଂ ନିକଟ ଅତୀତରେ ବଢ଼ିଥିବା ହିଂସା ଏହି ଆକ୍ରମଣର ପ୍ରମୁଖ କାରଣ। ବିଶେଷକରି ଗତ କିଛି ସପ୍ତାହ ଧରି ସରକାରୀ ବଳ ଓ ହୁତି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଅଧିକ ତୀବ୍ର ହୋଇପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, ଯେଉଁ ଏମରଜେନ୍ସି ରେସପନ୍ସ ଫୋର୍ସକୁ ଏହି ଆକ୍ରମଣରେ ଟାର୍ଗେଟ୍ କରାଯାଇଛି, ତାହା ୨୦୨୫ ଡିସେମ୍ବରରେ ୟେମେନର ରାଷ୍ଟ୍ରପତିଙ୍କ ଦ୍ୱାରା ଗଠନ କରାଯାଇଥିଲା। ଏହି ବାହିନୀର ମୁଖ୍ୟ ଦାୟିତ୍ୱ ହେଉଛି ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଇବା ଏବଂ ଦେଶରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା। ନିକଟରେ ଏହି ବାହିନୀ ହୁତି ବିରୋଧରେ ସକ୍ରିୟ ଅଭିଯାନ ଚଳାଉଥିବାରୁ ପ୍ରତିଶୋଧମୂଳକ ଭାବେ ଏହି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି।

