ପୁଣେ: ମହାରାଷ୍ଟ୍ରର ପୁଣେରେ ଆୟୋଜିତ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଘଟିଥିବା ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ମଞ୍ଚରୁ ଓହ୍ଲାଇବା ସମୟରେ ଜଣେ ଯୁବତୀ ରାହୁଲଙ୍କ ସହ ସେଲ୍ଫି ନେବା ପରେ ତାଙ୍କ ଗାଲରେ ଚୁମ୍ବନ ଦେଇଥିବା ଭିଡିଓରେ ଦେଖାଯାଉଛି।
ଘଟଣା ପରେ ରାହୁଲ ଗାନ୍ଧୀ ଯୁବତୀଙ୍କ ସହ କିଛି ସମୟ କଥା ହୋଇଥିଲେ। ପରେ ସୁରକ୍ଷାକର୍ମୀଙ୍କ ସହ ସେ ସେଠାରୁ ପ୍ରସ୍ଥାନ କରିଥିଲେ। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଭିନ୍ନଭିନ୍ନ ପ୍ରତିକ୍ରିୟା ଆସୁଛି।ମହିଳା ସୁରକ୍ଷା ଓ ସ୍ୱାଧୀନତା ଉପରେ ରାହୁଲଙ୍କ ବାର୍ତ୍ତା କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ‘ମନୁସ୍ମୃତି ମାନସିକତା’କୁ ସମାଲୋଚନା କରିଥିଲେ। ପୁରୁଷପ୍ରଧାନ ମାନସିକତା ବିରୋଧରେ ମହିଳାମାନେ ସ୍ୱର ଉଠାଇବାକୁ ସେ ଆହ୍ୱାନ ଦେଇଥିଲେ।ଏହି ପରିପ୍ରେକ୍ଷିତରେ ଯୁବତୀଙ୍କ ସହ ଘଟିଥିବା ଘଟଣାକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।
କିଛି ୟୁଜର୍ସଙ୍କ ମତରେ, ରାହୁଲଙ୍କ ସହ ମହିଳାମାନେ ନିଜକୁ ସ୍ୱଚ୍ଛନ୍ଦ ଓ ସୁରକ୍ଷିତ ମଣୁଥିବା ଏହି ଘଟଣାରୁ ପ୍ରତିଫଳିତ ହେଉଛି।
ଘଟଣାକୁ ନେଇ ରାଜନୈତିକ ବାକ୍ଯୁଦ୍ଧ
ଏହି ଘଟଣା ମଧ୍ୟରେ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ତର୍କ ମଧ୍ୟ ତୀବ୍ର ହୋଇଛି। ମହାରାଷ୍ଟ୍ର ବିଜେପି ଉପସଭାପତି କେଶବ ଉପାଧ୍ୟାୟ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମକୁ ‘ରାଜନୈତିକ କମେଡି ଶୋ’ ବୋଲି କଟାକ୍ଷ କରିଛନ୍ତି। କଂଗ୍ରେସ ଛାତ୍ରମାନଙ୍କ ପ୍ରକୃତ ସମସ୍ୟା ଉଠାଇବାରେ ବିଫଳ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।ଅନ୍ୟପକ୍ଷରେ କଂଗ୍ରେସ ନେତା ସଚିନ ସାୱନ୍ତ ବିଜେପିକୁ ପାଲଟା ଜବାବ ଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମକୁ ମିଳିଥିବା ଅଭୂତପୂର୍ବ ସଫଳତା ଦେଖି ବିଜେପି ଭୟଭୀତ ହୋଇପଡ଼ିଥିବା ସେ କହିଛନ୍ତି।ଏପଟେ ଯୁବତୀଙ୍କ ସହ ରାହୁଲଙ୍କ ଏହି ମୁହୂର୍ତ୍ତର ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଘଟଣାକୁ ନେଇ ଚର୍ଚ୍ଚା ଜାରି ରହିଛି।

