ଚେନ୍ନାଇ, ୨୪/୦୮: ତାମିଲନାଡୁରେ ଗରିବ ଓ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଟିଭିକେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି। ସରକାରଙ୍କ ପକ୍ଷରୁ ‘ଅନ୍ନପୂର୍ଣ୍ଣାନି ସୁପର୍ ସିକ୍ସ’ ନାମରେ ନୂଆ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନା ୨୦୨୭ରୁ ଲାଗୁ ହେବ ବୋଲି କୁହାଯାଇଛି।
ଏହି ଯୋଜନା ଅନୁସାରେ ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ଗରିବ ପରିବାରକୁ ବର୍ଷକୁ ୩ଟି ଏଲ୍ପିଜି ସିଲିଣ୍ଡର ପାଇଁ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରାଯିବ। ଅର୍ଥାତ୍ ପ୍ରଥମେ ହିତାଧିକାରୀ ସିଲିଣ୍ଡର କିଣିବେ ଏବଂ ପରେ ସେହି ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ପଠାଯିବ।
ସରକାରୀ ଆକଳନ ଅନୁସାରେ, ଏହି ଯୋଜନାରେ ପ୍ରାୟ ୧.୩୦ କୋଟି ପରିବାର ଉପକୃତ ହେବେ। ଏଥିପାଇଁ ପ୍ରତିବର୍ଷ ରାଜକୋଷରୁ ପ୍ରାୟ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି।
ମହିଳାଙ୍କୁ ମାଗଣା ବସ୍ ଯାତ୍ରା
ମହିଳାଙ୍କ ପାଇଁ ମଧ୍ୟ ବିଜୟ ବଡ଼ ଘୋଷଣା କରିଛନ୍ତି। ସାଧାରଣ ବସ୍ ସହିତ ଏକ୍ସପ୍ରେସ୍ ଓ ଡିଲକ୍ସ ବସ୍ରେ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ। ଏହି ସୁବିଧା ଅକ୍ଟୋବର ୨ରୁ ଲାଗୁ ହେବ ବୋଲି ଘୋଷଣା କରାଯାଇଛି।
ଏହି ସୁବିଧା ତୃତୀୟଲିଙ୍ଗୀଙ୍କୁ ମଧ୍ୟ ମିଳିବ। ବିଶେଷକରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ମହିଳାମାନେ ଏହାଦ୍ୱାରା ଅଧିକ ଲାଭବାନ ହେବେ ବୋଲି ବିଜୟ କହିଛନ୍ତି।
ପରନ୍ଦୁରରେ ହେବନି ନୂଆ ବିମାନବନ୍ଦର
ଏହା ସହ ଚେନ୍ନାଇର ପରନ୍ଦୁରରେ ପ୍ରସ୍ତାବିତ ନୂଆ ବିମାନବନ୍ଦରକୁ ନେଇ ମଧ୍ୟ ବିଜୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ପରନ୍ଦୁରରେ ବିମାନବନ୍ଦର ନିର୍ମାଣ କରାଯିବ ନାହିଁ ଏବଂ ଏଥିପାଇଁ କୌଣସି ପରିବାର ପ୍ରଭାବିତ ହେବେ ନାହିଁ ବୋଲି ସେ କହିଛନ୍ତି।
ପ୍ରସ୍ତାବିତ ବିମାନବନ୍ଦରକୁ ସ୍ଥାନୀୟ ଲୋକଙ୍କ ବିରୋଧ ରହିଥିବା ବେଳେ ସରକାର ସେମାନଙ୍କ ସହିତ ଠିଆ ହୋଇଛନ୍ତି ବୋଲି ବିଜୟ କହିଛନ୍ତି। ଏଥିପାଇଁ ନୂଆ ସ୍ଥାନ ଖୋଜାଯାଉଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି।

