AK- ୪୭ ଧରି ସ୍କୁଲରେ ପହଞ୍ଚିଲେ ଛାତ୍ର, ମନ ଇଚ୍ଛା ସମସ୍ତଙ୍କୁ ମାରିଲେ ଗୁଳି…ଚାଲିଗଲା ୮ ଜୀବନ

ନୂଆଦିଲ୍ଲୀ : ଥାଇଲାଣ୍ଡର ଏକ ସ୍କୁଲରେ ଘଟିଛି ହୃଦୟ ବିଦାରକ ଏବଂ ଭୟଙ୍କର ଗୁଳିକାଣ୍ଡ। ଜଣେ ଛାତ୍ର ରାଇଫଲ୍ ଧରି ସ୍କୁଲ ପରିସରରେ ଅନବରତ ଗୁଳିଚାଳନା କରିବାରୁ ୮ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଶିକ୍ଷକ ଏବଂ ସ୍କୁଲ କର୍ମଚାରୀ ମଧ୍ୟ ରହିଛନ୍ତି। ଘଟଣା ପରେ ଅଭିଯୁକ୍ତ ଛାତ୍ର ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ଥାଇଲାଣ୍ଡର ନୋନ୍ଥାବୁରୀ ପ୍ରାନ୍ତର ବ୍ୟାଙ୍ଗ୍ କ୍ରୁଆଇ ଜିଲ୍ଲାର ଏକ ସ୍କୁଲରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ସକାଳ ସମୟରେ ଛାତ୍ରଜଣକ ଏକ ରାଇଫଲ୍ ନେଇ ସ୍କୁଲରେ ପ୍ରବେଶ କରିଥିଲେ ଏବଂ କୌଣସି ସତର୍କତା ବିନା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଗୁଳିର ଶବ୍ଦରେ ସମଗ୍ର ସ୍କୁଲ ପରିସରରେ ଆତଙ୍କ ଖେଳିଯାଇଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ପ୍ରାଣ ବଞ୍ଚାଇବା ପାଇଁ କ୍ଲାସରୁମ୍‌ର ଡେସ୍କ ତଳେ ଲୁଚି ପଡ଼ିଥିଲେ, ଆଉ କେହି କେହି ଦୌଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଥିଲେ।
ଏହି ଘଟଣାର ସବୁଠାରୁ ଚକିତ କରିଦେବା ଦିଗ ହେଉଛି, ସ୍କୁଲରେ ଗୁଳିଚାଳନା କରିବା ପୂର୍ବରୁ ଅଭିଯୁକ୍ତ ନିଜ ଜେଜେବାପା ଓ ଜେଜେମାଆଙ୍କୁ ଗୁଳି କରି ହତ୍ୟା କରିଥିବା କୁହାଯାଉଛି। ଏହାପରେ ସେ ସିଧାସଳଖ ସ୍କୁଲକୁ ଯାଇ ସେଠାରେ ରକ୍ତରଞ୍ଜିତ ତାଣ୍ଡବ ରଚିଥିଲେ। ପୋଲିସ ସୂଚନା ଅନୁସାରେ, ସେ ପ୍ରାୟ ୨୬ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ଘଟଣାସ୍ଥଳରୁ ଅବଶିଷ୍ଟ ୩୪ଟି ଗୁଳି ଜବତ କରାଯାଇଛି।
ସୋସିଆଲ୍ ମିଡିଆରେ ଏହି ଆକ୍ରମଣ ସମୟର କିଛି ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି। ଭିଡିଓରେ ଦେଖାଯାଉଛି ଯେ, ଗୁଳିର ଶବ୍ଦରେ ସମଗ୍ର ସ୍କୁଲ ପରିସର କମ୍ପି ଉଠୁଛି। ଛାତ୍ରଛାତ୍ରୀମାନେ ଭୟରେ ଡେସ୍କ ତଳେ ଲୁଚି ରହିଥିବା ବେଳେ ବାହାରେ କ୍ରମାଗତ ଭାବେ ଗୁଳି ଚାଳନା ହେଉଥିବା ଶୁଣିବାକୁ ମିଳୁଛି।
ସ୍ଥାନୀୟ ପୋଲିସ କମାଣ୍ଡର ଡିକ୍ରାପି କୋଙ୍ଗଡେ କହିଛନ୍ତି ଯେ, ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ କିଛି ଜଣ ଆହତ ହୋଇଛନ୍ତି। ଗୁଳିଚାଳନା ପରେ ଅଭିଯୁକ୍ତ ଛାତ୍ର ନିଜକୁ ଗୁଳି କରି ଜୀବନ ଶେଷ କରିଥିବା ସେ ସ୍ପଷ୍ଟ କରିଛନ୍ତି। ଘଟଣା ସମୟରେ ସ୍କୁଲରେ ପ୍ରାୟ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଉପସ୍ଥିତ ଥିଲେ।
ଘଟଣାର ପ୍ରତ୍ୟକ୍ଷଦର୍ଶୀ ଜଣେ ୧୮ ବର୍ଷୀୟ ଛାତ୍ର କହିଛନ୍ତି ଯେ, ପ୍ରଥମେ ସେ ହଠାତ୍ ଏକ ବିସ୍ଫୋରଣ ଭଳି ଶବ୍ଦ ଶୁଣିଥିଲେ। ଆରମ୍ଭରେ ସେ ଏହାକୁ ବାଣ ଫୁଟିବାର ଶବ୍ଦ ବୋଲି ଭାବିଥିଲେ। କିନ୍ତୁ କିଛି ସମୟ ପରେ ଲଗାତାର ଗୁଳି ଫୁଟିବା ଶବ୍ଦ ଶୁଣି ସେ ଏହା ଗୁଳିକାଣ୍ଡ ବୋଲି ବୁଝିପାରିଥିଲେ। ଏହାପରେ ସେ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ନିଜ ଜୀବନ ବଞ୍ଚାଇବା ପାଇଁ ଲୁଚି ପଡ଼ିଥିବା କହିଛନ୍ତି।
ଏହି ଭୟଙ୍କର ଘଟଣା ପରେ ସମଗ୍ର ଥାଇଲାଣ୍ଡରେ ଶୋକର ଛାୟା ଖେଳିଯାଇଛି। ଘଟଣାର ପ୍ରକୃତ କାରଣ କ’ଣ ଥିଲା ଏବଂ ଅଭିଯୁକ୍ତ ଛାତ୍ର କେଉଁ ପରିସ୍ଥିତିରେ ଏଭଳି ପଦକ୍ଷେପ ନେଲେ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ପୁଣିଥରେ ସ୍କୁଲ ସୁରକ୍ଷା ଓ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ