ଭୁବନେଶ୍ଵର:ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ଏବେ ବିପଦର ରୂପ ନେଇଛି। ଗୋଟିଏ ଦିନର ପ୍ରବଳ ବର୍ଷାରେ ମୟୂରଭଞ୍ଜ, ବାଲେଶ୍ବର ଓ ଅନ୍ୟାନ୍ୟ ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବାରିପଦା ସହରରୁ ଆରମ୍ଭ କରି ଗାଁ ଓ ତଳିଆ ଅଞ୍ଚଳ—ସବୁଠି ପାଣିର ଆତଙ୍କ। ରାସ୍ତାଘାଟରେ ପାଣି ଜମିଥିବାରୁ ଅନେକ ସ୍ଥାନରେ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।
ଜିଲ୍ଲାର ୨୨ଟି ବ୍ଲକର ୨୮ଟି ପଞ୍ଚାୟତ ଏବଂ ବାରିପଦା ପୌରପାଳିକାର ୬ଟି ୱାର୍ଡ ପ୍ରଭାବିତ ହୋଇଛି। ପ୍ରାୟ ୧୭୩୫ ଜଣ ଲୋକ ବର୍ଷା ଓ ବନ୍ୟାର ପ୍ରଭାବରେ ଆସିଛନ୍ତି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି।ଶିମିଳିପାଳ ଅଞ୍ଚଳରେ ଅତ୍ୟଧିକ ବର୍ଷା ପରେ ବୁଢ଼ାବଳଙ୍ଗ ସମେତ ବିଭିନ୍ନ ନଦୀର ଜଳସ୍ତର ଦ୍ରୁତଗତିରେ ବଢ଼ିଛି। ବାଙ୍ଗିରିପୋଷି ଓ ଅନ୍ୟାନ୍ୟ ଅଞ୍ଚଳରେ ନଦୀର ଭୟଙ୍କର ରୂପ ଦେଖିବାକୁ ମିଳିଛି। ତଳିଆ ଅଞ୍ଚଳରେ ପାଣି ପଶିବା ସହ ଲୋକଙ୍କ ଜୀବନଯାପନ ଠପ୍ ହୋଇପଡ଼ିଛି।ବାଲେଶ୍ବରରେ ମଧ୍ୟ ବନ୍ୟା ଆଶଙ୍କା ବଢ଼ିଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବଢ଼ିଚାଲିଛି। ବସ୍ତା ଅଞ୍ଚଳର କେତେକ ସ୍ଥାନରେ ରାସ୍ତା ଉପରେ ପ୍ରାୟ ୪ ଫୁଟ୍ ପାଣି ଚାଲୁଛି। ସମ୍ଭାବ୍ୟ ବନ୍ୟାକୁ ଆଖି ଆଗରେ ରଖି ବାହାନଗା ବ୍ଲକର ପ୍ରାୟ ୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ବାଲେଶ୍ବର ସହରର ଅନେକ ଅଞ୍ଚଳରେ ମଧ୍ୟ କୃତ୍ରିମ ବନ୍ୟା ପରିସ୍ଥିତି ଦେଖାଦେଇଛି।ଏପଟେ ରାଉରକେଲା ସହରରେ ମଧ୍ୟ ପ୍ରବଳ ବର୍ଷାର ପ୍ରଭାବ ପଡ଼ିଛି। ରିଙ୍ଗରୋଡ୍, ମେନ୍ ରୋଡ୍, ବିମାନବନ୍ଦର ରୋଡ୍ ସମେତ ବିଭିନ୍ନ ସେକ୍ଟର ଅଞ୍ଚଳରେ ପାଣି ଜମିଛି। ସହରର ଅନେକ ମୁଖ୍ୟ ରାସ୍ତା ଜଳମଗ୍ନ ହୋଇଯାଇଛି। ଅନ୍ୟପଟେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁରର ମଧ୍ୟ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି।ନଦୀରେ ବଢ଼ୁଛି ଜଳସ୍ତରବୈତରଣୀ, ବୁଢ଼ାବଳଙ୍ଗ, ଜଳକା, ସୁବର୍ଣ୍ଣରେଖା ଓ ସାଳନ୍ଦୀ ନଦୀ ଏବେ ଫୁଲିଉଠିଛି। ଆନନ୍ଦପୁରରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜଳସ୍ତର ୩୯.୨୭ ମିଟରରେ ପହଞ୍ଚିଛି। ଆଖୁଆପଦାରେ ମଧ୍ୟ ଜଳସ୍ତର ୧୭.୫୪ ମିଟର ଛୁଇଁଛି ଏବଂ ପରିସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି।ଏନଏଚ୍-୫ର ଗୋବିନ୍ଦପୁର ନିକଟରେ ବୁଢ଼ାବଳଙ୍ଗ ୭.୬୦ ମିଟରରେ ପ୍ରବାହିତ ହେଉଛି। ଜଳସ୍ତର ଆହୁରି ବଢ଼ିଲେ ବିପଦ ସଙ୍କେତ ଟପିବାର ସମ୍ଭାବନା ରହିଛି। ଜଳକା ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ସୁବର୍ଣ୍ଣରେଖାରେ ମଧ୍ୟ ଜଳ ପ୍ରବାହ ବଢ଼ିଚାଲିଛି।
୨୪ ଘଣ୍ଟାରେ ଭୀଷଣ ବର୍ଷାଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ଅସାଧାରଣ ବର୍ଷା ରେକର୍ଡ ହୋଇଛି। ବାରିପଦାରେ ୨୧୫.୨ ମିଲିମିଟର, ବାଲେଶ୍ବରରେ ୧୬୯.୪ ମିଲିମିଟର ଏବଂ ରାଉରକେଲାରେ ୯୬.୮ ମିଲିମିଟର ବର୍ଷା ହୋଇଛି। ଏହି ଅତ୍ୟଧିକ ବର୍ଷା ଯୋଗୁ ନଦୀଗୁଡ଼ିକର ଜଳସ୍ତର ଦ୍ରୁତଗତିରେ ବଢ଼ିଛି।ଆଗକୁ ପୁଣି ବଡ଼ ବର୍ଷାର ଭୟବନ୍ୟା ସ୍ଥିତି ନେଇ ଚିନ୍ତା ଏଠିରେ ଶେଷ ହୋଇନାହିଁ। ଆଗାମୀ ଦିନରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ଥିବାରୁ ବର୍ଷା ପରିମାଣ ଆହୁରି ବଢ଼ିପାରେ। ସମ୍ଭାବ୍ୟ ନୂଆ ଲଘୁଚାପ ପ୍ରଭାବରେ ମହାନଦୀର ଜଳସ୍ତର ବଢ଼ିଲେ ଉପକୂଳ ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ।
ଏପଟେ ପଶ୍ଚିମବଙ୍ଗ ଉପକୂଳରେ ଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଡ଼କୁ ଯାଉଛି। ଆସନ୍ତା ୨୪ ଘଣ୍ଟା ପରେ ଏହା ଧୀରେଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି।ତଥାପି ୧୪ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିପାରେ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବା ଆଶଙ୍କା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ବର, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗୀରରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି।ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଗୋଟିଏ ପରେ ଗୋଟିଏ ବନ୍ୟାରେ ଉତ୍ତର ଓଡ଼ିଶା ଜୁଝୁଥିବା ବେଳେ ଆଗାମୀ ବର୍ଷା ଏହି ସଙ୍କଟକୁ କେତେ ଦୂର ବଢ଼ାଇବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

