ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା ଡଲଫିନ ! ୨୦୦ କିମି ବେଗରେ ବହିବ ପବନ, ଭାଙ୍ଗିବ ସବୁକିଛି

ବେଜିଂ: ପଶ୍ଚିମ ପ୍ରଶାନ୍ତ ମହାସାଗରରୁ ବଳ ଗୋଟାଇ ଚୀନ୍ ଉପକୂଳ ଆଡ଼କୁ ଦ୍ରୁତ ଗତିରେ ମାଡ଼ିଆସୁଛି ଶକ୍ତିଶାଳୀ ଟାଇଫୁନ୍ ‘ଡଲଫିନ୍’। ରବିବାର ଅପରାହ୍ଣ କିମ୍ବା ସନ୍ଧ୍ୟାରେ ୱେନ୍ ଝୋଉ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିପାରେ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ପ୍ରାୟ ୨୦୦ କିମି ପ୍ରତି ଘଣ୍ଟା ଛୁଇଁବାର ଆଶଙ୍କା ରହିଛି।

ସମୁଦ୍ରରେ ଭୟଙ୍କର ରୂପ

ଜୁଲାଇ ୨୬ରେ ସୃଷ୍ଟି ହୋଇଥିବା ଡଲଫିନ୍ ଓକିନାୱା ଅତିକ୍ରମ କରି ପୂର୍ବ ଚୀନ୍ ସାଗରରେ ପହଞ୍ଚିଛି। ୫ ହଜାର କିଲୋମିଟରରୁ ଅଧିକ ପଥ ଅତିକ୍ରମ କରି ଏବେ ଏହା ଚୀନ୍ ଉପକୂଳ ଆଡ଼କୁ ମୁହାଁଇଛି।
ବର୍ତ୍ତମାନ ୱେନ୍ ଝୋଉଠାରୁ ପ୍ରାୟ ୨୫୦ କିଲୋମିଟର ପୂର୍ବରେ ରହିଥିବା ଏହି ଟାଇଫୁନ୍ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ପ୍ରାୟ ୧୭ କିମି ବେଗରେ ଗତି କରୁଛି।
ସମୁଦ୍ରରେ ଡଲଫିନ୍‌ର ସ୍ଥାୟୀ ପବନ ବେଗ ପ୍ରାୟ ୧୭୦ କିମି ପ୍ରତି ଘଣ୍ଟା ଥିବାବେଳେ ଝଟକା ପବନର ବେଗ ୨୦୫ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚୁଛି l

୪୫୦ ମିମିରୁ ଅଧିକ ବର୍ଷା ଆଶଙ୍କା

ଟାଇଫୁନ୍ ପ୍ରଭାବରେ ଚୀନ୍‌ର ୱେନ୍ ଝୋଉ ସମେତ ଉତ୍ତର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। କେତେକ ସ୍ଥାନରେ ୧୫୦ରୁ ୩୫୦ ମିମି ବର୍ଷା ହେବା ସହ ଅତ୍ୟଧିକ ପ୍ରଭାବିତ ଅଞ୍ଚଳରେ ବର୍ଷା ପରିମାଣ ୪୫୦ ମିମିରୁ ଅଧିକ ହୋଇପାରେ।
ଏଥିସହ ସମୁଦ୍ରରେ ୪ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଉଠିବାର ଆଶଙ୍କା ରହିଛି। ଫଳରେ ଉପକୂଳ ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନ ବିପଦ ବଢ଼ିପାରେ।

ଉପକୂଳବାସୀଙ୍କୁ ସତର୍କତା

ବିପଦକୁ ଦୃଷ୍ଟିରେ ରଖି ଉପକୂଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ବନ୍ଦରଗୁଡ଼ିକରେ ରେଡ୍ ସିଗନାଲ ଜାରି କରାଯିବା ସହ ସାମୁଦ୍ରିକ ପରିବହନକୁ ମଧ୍ୟ ସ୍ଥଗିତ ରଖାଯାଇଛି।

ଜାପାନରେ ବି ରେଡ୍ ଆଲର୍ଟ

ଡଲଫିନ୍‌ର ପ୍ରଭାବ ଜାପାନର ର୍ୟୁକ୍ୟୁ ଦ୍ୱୀପପୁଞ୍ଜରେ ମଧ୍ୟ ପଡ଼ିବ। ଏଠାରେ ଆଗାମୀ କିଛି ଦିନ ପ୍ରବଳ ବର୍ଷା ହୋଇପାରେ। କେତେକ ଅଞ୍ଚଳରେ ୨୦୦ ମିମିରୁ ଅଧିକ ବର୍ଷା ଆଶଙ୍କା ଥିବାରୁ ବନ୍ୟା ଓ ଭୂସ୍ଖଳନ ନେଇ ସତର୍କତା ଜାରି ରହିଛି।
ଲ୍ୟାଣ୍ଡଫଲ୍ ପରେ ଡଲଫିନ୍ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ଥିଲେ ମଧ୍ୟ ଭାରୀ ବର୍ଷା ଓ ଉଚ୍ଚ ଜୁଆର ଯୋଗୁଁ ଚୀନ୍‌ର ଉପକୂଳ ଅଞ୍ଚଳରେ ବିପଦ ରହିବାର ଆଶଙ୍କା ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ