ଅଗଷ୍ଟ ଶେଷରେ ବଡ଼ ଲଘୁଚାପ ! ଭାସିବ ଓଡ଼ିଶା, ମାଡ଼ି ଆସିବ ବନ୍ୟା

ଭୁବନେଶ୍ୱର, ୨୪/୦୮: ଅତି ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ୪ଟି ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ବର୍ଷା ବିତ୍ପାତରେ ପ୍ରଭାବିତ ହୋଇଛି। ଶତାଧିକ ଲୋକ ପାଣି ଘେରରେ ରହିଥିବା ବେଳେ ରାସ୍ତା ଧୋଇଯିବା ଓ ସେତୁ ଉପରେ ପାଣି ଚାଲିବା ଯୋଗୁଁ ଅନେକ ଅଞ୍ଚଳ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଅଞ୍ଚଳରେ ବରୀ ନଦୀର ବନ୍ୟାଜଳରେ ଭାସି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଲଗାତାର ବର୍ଷା ଯୋଗୁଁ ଅନେକ ଘର ଭାଙ୍ଗିଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି।ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଜାରି ରହିବ। ରବିବାର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଅଗଷ୍ଟ ମାସରେ ଓଡ଼ିଶା ଉପକୂଳ ନିକଟରେ ଏହା ଚତୁର୍ଥ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି।ଗତ ୨୪ ଘଣ୍ଟାରେ ନବରଙ୍ଗପୁରରେ ସର୍ବାଧିକ ୧୯୦.୬ ମିମି ବର୍ଷା ରେକର୍ଡ ହୋଇଛି। ପାରଳାଖେମୁଣ୍ଡିରେ ୧୧୯ ମିମି, ମାଲକାନଗିରିରେ ୮୬ ମିମି, କୋରାପୁଟରେ ୭୧.୮ ମିମି, ଛତ୍ରପୁରରେ ୭୬ ମିମି ଓ ରାୟଗଡ଼ାରେ ୭୫ ମିମି ବର୍ଷା ହୋଇଛି।ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁରରେ ସ୍ଥିତି ଅଧିକ ଖରାପ ହୋଇଛି। ସହର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ ଉପରେ ପ୍ରାୟ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି। ଉମରକୋଟରେ କୃତ୍ରିମ ବନ୍ୟା ପରିସ୍ଥିତି ଦେଖାଦେବା ସହ ଅନେକ ଦୋକାନରେ ପାଣି ପଶିଛି। ମୈଦଲପୁରର ବିଭିନ୍ନ ଅଞ୍ଚଳ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ରାୟପୁର-ବିଶାଖାପାଟଣା ଜାତୀୟ ରାଜପଥରେ ମଧ୍ୟ ପ୍ରାୟ ୩ ଫୁଟ ଉଚ୍ଚର ପାଣି ଚାଲିଥିବା ଜଣାପଡ଼ିଛି।ଅଧିକ ବର୍ଷାର ଆଶଙ୍କା ଥିବାରୁ ନବରଙ୍ଗପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ସୋମବାର ଛୁଟି ଘୋଷଣା କରାଯାଇଛି।

କୋରାପୁଟର ତଳିଆ ଅଞ୍ଚଳରେ ପାଣି ଜମିଥିବା ବେଳେ ବିଭିନ୍ନ ନଦୀ, ନାଳ ଓ ଜଳାଶୟରେ ଜଳସ୍ତର ବଢ଼ିଛି। ରାୟଗଡ଼ାର କାଶୀପୁର, ରାମନାଗୁଡ଼ା, ଗୁଣପୁର, ପଦ୍ମପୁର ଓ ଗୁଡ଼ାରୀ ବ୍ଲକରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି।ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୪ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହା ସହ ୨୪ରୁ ୨୬ ତାରିଖ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ମହାନଦୀର ଉପରମୁଣ୍ଡରେ ମଧ୍ୟ ଭାରି ବର୍ଷାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ଅଗଷ୍ଟ ଶେଷ ଆଡ଼କୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ସେପ୍ଟେମ୍ବର ୧ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୨ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡିରେ ପୁଣି ପ୍ରବଳ ବର୍ଷା ହୋଇପାରେ।ବର୍ତ୍ତମାନର ଲଘୁଚାପ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଉତ୍ତର ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ ଗତି କରିପାରେ। ୨୭ରୁ ୨୮ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପ୍ରଭାବ କମିବାର ସମ୍ଭାବନା ରହିଛି। ତେବେ ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗୀର ଭଳି ପଶ୍ଚିମ ସୀମାନ୍ତ ଜିଲ୍ଲାରେ ବର୍ଷା ଜାରି ରହିପାରେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ