ରାୟଗଡ଼ା: ଗଭୀର ଅବପାତର ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି । ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଘଟୁଥିବା ବେଳେ ରେଳଧାରଣା ଉପରେ ମାଟି ଓ ପଥର ଅତଡ଼ା ଧସିବା ଘଟଣା ସାମ୍ନାକୁ ଆସିଛି ।
ପାହାଡ଼ିଆ ଅଞ୍ଚଳ ଦେଇ ଯାଇଥିବା ରେଳ ଲାଇନ୍, ଟନେଲ ଏବଂ ଅନ୍ୟ ସମ୍ବେଦନଶୀଳ ସ୍ଥାନରେ ଆଗକୁ ମଧ୍ୟ ଭୁସ୍ଖଳନର ଆଶଙ୍କା ରହିଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏକାଧିକ ଟ୍ରେନ୍ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନ୍ର ଚଳାଚଳରେ ପରିବର୍ତ୍ତନ କରାଯାଇଛି ।
ରେଳ ବିଭାଗର ସୂଚନା ଅନୁସାରେ, କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର, ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର, କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ, ବିଶାଖାପାଟଣା-କିରଣ୍ଡୁଲ ଏକ୍ସପ୍ରେସ, ଜଗଦଲପୁର-ରାଉରକେଲା ଏକ୍ସପ୍ରେସ ଏବଂ ରାଉରକେଲା-ଜଗଦଲପୁର ଏକ୍ସପ୍ରେସକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି ।
ସେହିପରି କିଛି ଟ୍ରେନ୍ର ଯାତ୍ରା ଆଂଶିକ ଭାବେ ବାତିଲ କରାଯାଇଛି । ୨୫ ତାରିଖର ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ କୋରାପୁଟ ପର୍ଯ୍ୟନ୍ତ ଚଳାଚଳ କରିବ । ଏହାପରେ ୨୬ ତାରିଖର ଜଗଦଲପୁର-ହାୱଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଏବଂ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଜଗଦଲପୁର ବଦଳରେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ ।
ଭୁସ୍ଖଳନ ଆଶଙ୍କା ଯୋଗୁ କୋରାପୁଟରୁ ଜଗଦଲପୁର ମଧ୍ୟରେ ରେଳ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ରେଳ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅବିରତ ବର୍ଷା ଯୋଗୁ ରେଳପଥର ସ୍ଥିତି ଉପରେ ନଜର ରଖାଯାଇଥିବା ଜଣାପଡ଼ିଛି ।

