ଭୁବନେଶ୍ୱର, ୨୪/୧୦ : ଓଲିଉଡ୍ର ଲୋକପ୍ରିୟ କମେଡିଆନ୍ ପପୁ ପମପମ୍ଙ୍କୁ ନେଇ ବଢ଼ିଲା ବିବାଦ। ଦିବ୍ୟାଙ୍ଗମାନଙ୍କୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ଆଗ୍ନେୟ ୱେଡ୍ସ ମିନଲ’କୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେବା ସହ ପ୍ରବାସୀ ଓଡ଼ିଆଙ୍କ ଏକ ଗ୍ରୁପ୍ରେ ଫିଲ୍ମଟି ନଦେଖିବାକୁ କହିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛି ଓଡ଼ିଶା ଦିବ୍ୟାଙ୍ଗ ଜନକଲ୍ୟାଣ ସଂଘ।
ଏହି ଘଟଣାକୁ ନେଇ ସଂଘର ସଦସ୍ୟମାନେ ପପୁ ପମପମ୍ ରହୁଥିବା ଜଗନ୍ନାଥ ବିହାରସ୍ଥିତ ଏକ ଭଡ଼ା ଘର ନିକଟରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ମଧ୍ୟ କରିଥିଲେ। ତେବେ ପପୁ ସେହି ଘରେ ରହୁନଥିବା ଘର ମାଲିକ କହିବା ପରେ ସଂଘର ସଦସ୍ୟମାନେ ସେଠାରୁ ଫେରିଥିଲେ।
ବବି ଇସଲାମ ଓ ଅକ୍ଷୟ ପରିଜାଙ୍କ ନାଁରେ ମଧ୍ୟ ଅଭିଯୋଗ
କେବଳ ପପୁ ପମପମ୍ ନୁହନ୍ତି, ବବି ଇସଲାମ ଓ ଅକ୍ଷୟ ପରିଜାଙ୍କ ବିରୋଧରେ ମଧ୍ୟ ଫିଲ୍ମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆସିଛି। ଏହି ଦୁଇଜଣଙ୍କ ନିକଟକୁ ଯାଇ ଫିଲ୍ମଟି ଦେଖିବାକୁ ଅନୁରୋଧ କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଏହି ପ୍ରସଙ୍ଗରେ ଖୁବ୍ଶୀଘ୍ର ସମାଧାନ ନହେଲେ ପପୁ ପମପମ୍, ବବି ଇସଲାମ ଓ ଅକ୍ଷୟ ପରିଜାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଅଲ୍ ଓଡ଼ିଶା ଦିବ୍ୟାଙ୍ଗ ଜନକଲ୍ୟାଣ ସଂଘର ସମ୍ପାଦକ ନାରାୟଣ ରାଉତ ଚେତାବନୀ ଦେଇଛନ୍ତି।
ଏହି ଘଟଣାକୁ ନେଇ ଓଲିଉଡ୍ ମହଲରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପ୍ରତିକ୍ରିୟା ଏଠାରେ ଉଲ୍ଲେଖ ନାହିଁ।

