ଜୟପୁର: ରାଜସ୍ଥାନର ଜୟପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ଆଉ ୨୫ ଜଣ ଆହତ ହୋଇଛନ୍ତି। ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ଜୋରଦାର ଧକ୍କା ହେବାରୁ ଏଭଳି ଅଘଟଣ ଘଟିଛି। ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି।
ମନ୍ଦିର ଦର୍ଶନ ପାଇଁ ଯାଉଥିଲେ ଯାତ୍ରୀ
ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ବସ୍ରେ ମୋଟ ୨୮ ଜଣ ଯାତ୍ରୀ ଥିଲେ। ସେମାନେ ମହାରାଷ୍ଟ୍ରର ନାସିକରୁ ସାୱାରିୟା ସେଠ୍ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ। ଏହି ସମୟରେ ଜୟପୁରର ଏକ ଫ୍ଲାଏଓଭର ନିକଟରେ ବସ୍ଟି ଏକ ଟ୍ରକ୍ ସହ ଧକ୍କା ହୋଇଥିଲା।
ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୨୫ ଜଣ ଆହତ ହୋଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହଠାତ୍ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।
ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ୍କୁ ପଠାଯାଇଥିଲା। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି।
ଅନ୍ୟପକ୍ଷରେ, ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳ ଯାଞ୍ଚ କରିବା ସହ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।

