ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ଵ : ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଚୟନ କମିଟିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନୂଆ ମୁଖ୍ୟ ଚୟନକର୍ତ୍ତା ଭାବେ ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝାଙ୍କ ନାଁ ଘୋଷଣା କରାଯାଇଛି। ଏହି ନିଯୁକ୍ତି ସହିତ ସେ ଅଜିତ ଅଗରକରଙ୍କ ସ୍ଥାନ ନେବେ। ଅନ୍ୟପଟେ ପୁରୁଷ ଚୟନ କମିଟିରେ ପଶ୍ଚିମ ଜୋନ୍‌ରୁ ରମେଶ ପାୱାରଙ୍କୁ ସାମିଲ କରାଯାଇଛି।

ସୋମବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ଏହି ସମ୍ପର୍କରେ ସୂଚନା ଦିଆଯାଇଛି। ନୂଆ ନିଯୁକ୍ତି ପରେ ପୁରୁଷ ଚୟନ କମିଟିର ସମସ୍ତ ପଦ ପୂରଣ ହୋଇଛି।

କିପରି ହେଲା ପ୍ରଜ୍ଞାନଙ୍କ ଚୟନ?

ବିସିସିଆଇର ପ୍ରେସ୍ ବିବୃତି ଅନୁଯାୟୀ, କ୍ରିକେଟ୍ ପରାମର୍ଶଦାତା କମିଟି (CAC) ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟା ଅନୁସରଣ କରି ପ୍ରଜ୍ଞାନ ଓଝାଙ୍କ ନାମରେ ମୋହର ମାରିଛି। କମିଟିରେ ଅଶୋକ ମାଲହୋତ୍ରା ଓ ଜତିନ ପରାଞ୍ଜପେ ସଦସ୍ୟ ଭାବେ ରହିଥିଲେ।

ଆବେଦନଗୁଡ଼ିକର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ସାକ୍ଷାତକାର ନିଆଯାଇଥିଲା। ଏହି ପ୍ରକ୍ରିୟାରେ ପୂର୍ବତନ ଭାରତୀୟ ଓପନର୍ ୱାସିମ ଜାଫରଙ୍କ ସମେତ ୫ ଜଣ ଆଶାୟୀ ସାମିଲ ହୋଇଥିଲେ। ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଜାଫର ମଧ୍ୟ ଜଣେ ପ୍ରମୁଖ ଦାବିଦାର ଥିଲେ। ସେ ଭାରତ ପାଇଁ ୩୧ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି।

ଚୟନ କମିଟିରେ କିଏ କିଏ ରହିଲେ?

ପ୍ରଜ୍ଞାନ ଓଝା ମୁଖ୍ୟ ଚୟନକର୍ତ୍ତା ହେବା ପରେ ନୂଆ ଚୟନ କମିଟିରେ ଶିବ ସୁନ୍ଦର ଦାସ, ଆର୍‌ପି ସିଂହ, ଅଜୟ ରାତ୍ରା ଏବଂ ରମେଶ ପାୱାର ସଦସ୍ୟ ଭାବେ ରହିବେ।

ପ୍ରଜ୍ଞାନ ଓଝା ଭାରତ ପକ୍ଷରୁ ୨୪ଟି ଟେଷ୍ଟ, ୧୮ଟି ଦିନିକିଆ ଏବଂ ୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୦୦୮ ନଭେମ୍ବରରୁ ୨୦୧୩ ପର୍ଯ୍ୟନ୍ତ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସକ୍ରିୟ ଥିଲେ। ଏହା ପୂର୍ବରୁ ସେ ଚୟନ କମିଟିର ସଦସ୍ୟ ଭାବେ ମଧ୍ୟ କାମ କରିଥିଲେ।

ସେହିପରି ରମେଶ ପାୱାର ଭାରତ ପାଇଁ ୨ଟି ଟେଷ୍ଟ ଓ ୩୧ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଖେଳାଳି ଜୀବନ ପରେ ସେ ଭାରତୀୟ ମହିଳା କ୍ରିକେଟ୍ ଦଳ ସମେତ ମୁମ୍ବାଇ ଓ ଗୁଜରାଟ ଦଳର କୋଚ୍ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏହାଛଡ଼ା ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ବୋଲିଂ କୋଚ୍ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଅଜିତ ଅଗରକରଙ୍କ କାର୍ଯ୍ୟକାଳକୁ ପ୍ରଶଂସା

ଚୟନ କମିଟିର ପୂର୍ବତନ ମୁଖ୍ୟ ଅଜିତ ଅଗରକରଙ୍କ ଅବଦାନକୁ ବିସିସିଆଇ ପ୍ରଶଂସା କରିଛି। ୨୦୨୩ ଜୁଲାଇରେ ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଅଗରକର ଭାରତୀୟ କ୍ରିକେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଚୟନ କମିଟିର ନେତୃତ୍ୱ ନେଇଥିଲେ।

ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଅଗରକରଙ୍କ ପ୍ରତିବଦ୍ଧତା, ଦୃଢ଼ ନିଷ୍ପତ୍ତି ଏବଂ ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କର ଅବଦାନ ପ୍ରଶଂସନୀୟ। ତାଙ୍କ କାର୍ଯ୍ୟକାଳରେ ଭାରତୀୟ ଦଳ ତିନୋଟି ଆଇସିସି ଟ୍ରଫି, ଦୁଇଟି ଏସିଆ କପ୍ ଏବଂ ଲଗାତାର ଦୁଇଟି ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଉଲ୍ଲେଖ କରାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ