ଭୁବନେଶ୍ୱର: ଟଙ୍କପାଣି ବ୍ରିଜରେ ପୁଣି ଅଘଟଣ। କୁଆଖାଇ ନଦୀ ନିକଟରେ ଜଣେ ଯୁବକଙ୍କୁ ନେଇ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ତାଙ୍କ ସ୍କୁଟି ଓ ଚପଲ ମିଳିବା ପରେ ସେ ନଦୀକୁ ଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।
ଯୁବକଙ୍କ ପରିଚୟ ଭୁବନେଶ୍ୱର ବ୍ରିଟ୍ କଲୋନୀ ଅଞ୍ଚଳର ବିଘ୍ନେଶ ତ୍ରିପାଠୀ (୨୧) ବୋଲି ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ବାଲିଅନ୍ତା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଦ୍ଧାର ଓ ତଲାସୀ କାର୍ଯ୍ୟ ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
ଟଙ୍କପାଣି ବ୍ରିଜକୁ ନେଇ ଚଳିତ ମାସରେ ଏଭଳି ଘଟଣା ଏକାଧିକ ଥର ସାମ୍ନାକୁ ଆସିଛି। ସେପ୍ଟେମ୍ବର ୫ରେ ଜଣେ ଡେଲିଭରି କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ, ସେପ୍ଟେମ୍ବର ୭ରେ ଅଟୋ ଚାଳକ ସଞ୍ଜୟ ସ୍ୱାଇଁଙ୍କ ସମ୍ପର୍କିତ ଏକ ଘଟଣା ଘଟିଥିଲା। ଏହାପରେ ଗତ ରବିବାର ମଧ୍ୟ ଜଣେ ଯୁବକଙ୍କୁ ନେଇ ସମାନ ଧରଣର ଘଟଣା ଘଟିଥିଲା, ଯାହାଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ସଦ୍ୟ ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି।

