ତାମିଲନାଡୁ : ବିଧାନସଭାରେ ଗୁରୁବାର ଏକ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଥିଲା । ନିଜ ପାଇଁ ନିର୍ଦ୍ଧାରିତ ଆସନରେ ନବସି ମନ୍ତ୍ରୀମାନଙ୍କ ଧାଡ଼ିରେ ଯାଇ ବସିଥିଲେ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ । ଏହି ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର କାରଣ ପାଲଟିଛି ।
ବିଧାନସଭାର ଅପରାହ୍ନ ଅଧିବେଶନ ଚାଲିଥିବା ବେଳେ ବିଜୟ ନିଜ ନିର୍ଦ୍ଧାରିତ ଆସନରୁ ଉଠିଥିଲେ । ବାଚସ୍ପତି ଜେସିଡି ପ୍ରଭାକରଙ୍କ ଆସନର ଡାହାଣ ପଟେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସନ ରହିଛି । ହେଲେ ବିଜୟ ସେଠାକୁ ନଯାଇ ମନ୍ତ୍ରୀମାନଙ୍କ ଧାଡ଼ିରେ ପହଞ୍ଚିଥିଲେ । ସେଠାରେ ମନ୍ତ୍ରୀ କେ.ଏ. ସେଙ୍ଗୋଟ୍ଟାୟନ ଓ ଆଧବ ଅର୍ଜୁନଙ୍କ ମଝିରେ ବସିଥିଲେ ।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଆସନ ରହିବା ସାଧାରଣ ପ୍ରଥା । ଏଭଳି ସ୍ଥିତିରେ ନିଜ ଆସନ ଛାଡ଼ି ମନ୍ତ୍ରୀଙ୍କ ଧାଡ଼ିରେ ବସିବା ଘଟଣାକୁ ନେଇ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି ।
ଅଧିକାରୀଙ୍କୁ ନେଇ ବିରୋଧୀଙ୍କ ଆପତ୍ତି
ଅନ୍ୟପଟେ ବିଧାନସଭାରେ ବିଭାଗୀୟ ସଚିବଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିଲା । ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ୍ କହିଥିଲେ, ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ସମୟରେ ସମ୍ପୃକ୍ତ ବିଭାଗର ସଚିବମାନଙ୍କ ଉପସ୍ଥିତି ରହିବା ଆବଶ୍ୟକ ।
ବିଶେଷକରି କରୁର ଦଳାଚକଟା ଘଟଣା ଉପରେ ଆଲୋଚନା ବେଳେ ଅଧିକାରୀମାନେ ଗୃହରେ ନଥିବା ପ୍ରସଙ୍ଗ ଉଠାଇଥିଲେ ଉଦୟନିଧି । ତେବେ ଆଧବ ଅର୍ଜୁନ ସ୍ପଷ୍ଟ କରିଥିଲେ ଯେ, ସଚିବମାନେ ଗୃହ ନିକଟରେ ଥିବା ‘ୱାର୍ ରୁମ୍’ରେ ରହି ବିଧାୟକଙ୍କ ଆଲୋଚନା ଉପରେ ନଜର ରଖିବା ସହ ଆବଶ୍ୟକ ନୋଟ୍ ପ୍ରସ୍ତୁତ କରୁଛନ୍ତି ।
ପରେ ବାଚସ୍ପତି ଜେସିଡି ପ୍ରଭାକର କହିଥିଲେ ଯେ, ଆଗକୁ ବରିଷ୍ଠ ଅଧିକାରୀମାନେ ବିଧାନସଭା ଗୃହରେ ଉପସ୍ଥିତ ରହିବା ନେଇ ବ୍ୟବସ୍ଥା କରାଯିବ ।

