ଇରାନର ବଡ଼ ଧମକ! କାଟିଦେବ ସମୁଦ୍ର ତଳ ଇଣ୍ଟରନେଟ୍ କେବୁଲ, ଦେଶରେ ଆଉ ଚାଲିବନି ଇଣ୍ଟରନେଟ !

ନୂଆଦିଲ୍ଲୀ: : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିକୁ ନେଇ ବଢ଼ିଲା ଉତ୍ତେଜନା। ଇରାନ ଉପରେ ପୁଣି ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଥିବା ବେଳେ ଏହାର ଜବାବରେ କଡ଼ା ଚେତାବନୀ ଦେଇଛି ଇରାନ। ହର୍ମୁଜ ପ୍ରଣାଳୀ ଦେଇ ଯାଇଥିବା ସମୁଦ୍ର ତଳ ଇଣ୍ଟରନେଟ୍ କେବୁଲକୁ କାଟିବା ସହ ଏହାର ମରାମତିରେ ବାଧା ସୃଷ୍ଟି କରିବାକୁ ଇରାନ ଧମକ ଦେଇଥିବା ଖବର ସାମ୍ନାକୁ ଆସିଛି। ଏପରି ହେଲେ ଗଲ୍ଫ ଅଞ୍ଚଳର ଇଣ୍ଟରନେଟ୍ ଓ ଡିଜିଟାଲ୍ ସେବା ଗୁରୁତର ପ୍ରଭାବିତ ହୋଇପାରେ।

ପୁଣି ଆକ୍ରମଣ କରିପାରେ ଆମେରିକା!

ଫ୍ଲୋରିଡାର ଫୋର୍ଟ ମାୟର୍ସରେ ଆୟୋଜିତ ଏକ ରାଲିରେ ଟ୍ରମ୍ପ କହିଛନ୍ତି ଯେ, ଇରାନ ବିରୋଧରେ ଆମେରିକା ପୁଣି ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିପାରେ। ପୂର୍ବରୁ ଆରମ୍ଭ ହୋଇଥିବା ‘ଅପରେସନ୍ ଏପିକ୍ ଫ୍ୟୁରି’ ଭଳି ଆଉ ଏକ ଅଭିଯାନର ସମ୍ଭାବନାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।

ଆଗାମୀ ନଭେମ୍ବର ୩ରେ ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ହେବାକୁ ଥିବାରୁ ତା’ ପୂର୍ବରୁ ଆକ୍ରମଣ ହେବା ନେଇ ଅନିଶ୍ଚିତତା ରହିଛି। ତେବେ ଇନ୍ଧନ ଦର ବୃଦ୍ଧି ଓ ରାଜନୈତିକ ଚାପ ମଧ୍ୟରେ ଟ୍ରମ୍ପଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚା ଚାଲିଛି।

ଇରାନର ଚେତାବନୀ: କାଟିଦେବ ଇଣ୍ଟରନେଟ୍ କେବୁଲ!

ଆମେରିକାର ସମ୍ଭାବ୍ୟ ଆକ୍ରମଣ ନେଇ ଚର୍ଚ୍ଚା ମଧ୍ୟରେ ଇରାନ ପକ୍ଷରୁ ଏକ ବଡ଼ ଚେତାବନୀ ଦିଆଯାଇଥିବା ଖବର ମିଳିଛି। ଇରାନର ସୁରକ୍ଷା ଅଧିକାରୀ ୟାଦୋଲ୍ଲା ଜାଭାନୀଙ୍କ କହିବା ଅନୁସାରେ, ଆମେରିକା କିମ୍ବା ଇସ୍ରାଏଲ୍ ପୁଣି ଆକ୍ରମଣ କଲେ ହର୍ମୁଜ ପ୍ରଣାଳୀ ଦେଇ ଯାଇଥିବା ସାତଟି ପ୍ରମୁଖ ସମୁଦ୍ର ତଳ ଇଣ୍ଟରନେଟ୍ କେବୁଲକୁ ଟାର୍ଗେଟ୍ କରାଯାଇପାରେ।

କେବୁଲ୍ କାଟିବା ସହ ଏହାର ମରାମତି କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏପରି ହେଲେ ଅଞ୍ଚଳରେ ଇଣ୍ଟରନେଟ୍ ସଂଯୋଗ ଓ ଡିଜିଟାଲ୍ ଯୋଗାଯୋଗ ବ୍ୟବସ୍ଥା ଦୀର୍ଘ ସମୟ ପାଇଁ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି।

ବିଶ୍ୱ ଇଣ୍ଟରନେଟ୍ ଉପରେ କେତେ ପ୍ରଭାବ ପଡ଼ିବ?

ସମୁଦ୍ର ତଳେ ବିଛାଯାଇଥିବା ଫାଇବର୍-ଅପ୍ଟିକ୍ କେବୁଲ୍ ବିଶ୍ୱର ଇଣ୍ଟରନେଟ୍ ଯୋଗାଯୋଗର ମୁଖ୍ୟ ଆଧାର। ଆନ୍ତର୍ଜାତିକ ଇଣ୍ଟରନେଟ୍ ଟ୍ରାଫିକ୍‌ର ପ୍ରାୟ ୯୯ ପ୍ରତିଶତ ଏହି କେବୁଲ୍ ନେଟୱର୍କ ମାଧ୍ୟମରେ ଯାତାୟାତ କରିଥାଏ।

ତେବେ ହର୍ମୁଜ ପ୍ରଣାଳୀ ଦେଇ ଯାଇଥିବା କେବୁଲ୍‌ଗୁଡ଼ିକ ବିଶ୍ୱର ମୋଟ ଇଣ୍ଟରନେଟ୍ କ୍ଷମତାର ଏକ ଛୋଟ ଅଂଶ ବହନ କରୁଥିବାରୁ ଏହା କଟିଗଲେ ସମଗ୍ର ବିଶ୍ୱର ଇଣ୍ଟରନେଟ୍ ସେବା ବନ୍ଦ ହୋଇଯିବା ସମ୍ଭାବନା କମ୍। କିନ୍ତୁ ମଧ୍ୟପ୍ରାଚ୍ୟରେ ଏହାର ପ୍ରଭାବ ଅଧିକ ଗୁରୁତର ହୋଇପାରେ।

ବ୍ୟାଙ୍କିଙ୍ଗ୍ ସେବା, ଅନଲାଇନ୍ ଟଙ୍କା କାରବାର, କ୍ଲାଉଡ୍ ସେବା ଏବଂ ଡାଟା ସେଣ୍ଟରଗୁଡ଼ିକର କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାସହ ଇଣ୍ଟରନେଟ୍‌ର ଗତି ହ୍ରାସ ପାଇବା ଏବଂ ଯୋଗାଯୋଗରେ ବିଳମ୍ବ ହେବା ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ।

ବଢ଼ିପାରେ ତୈଳ ଦର, ଚିନ୍ତାରେ ବିଶ୍ୱ ଅର୍ଥନୀତି

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତୀବ୍ର ହେଲେ ଏହାର ପ୍ରଭାବ କେବଳ ଇଣ୍ଟରନେଟ୍ ଯୋଗାଯୋଗରେ ସୀମିତ ରହିବ ନାହିଁ। ଅଶୋଧିତ ତୈଳ ଯୋଗାଣ ଓ ଅନ୍ତର୍ଜାତୀୟ ବାଣିଜ୍ୟ ମଧ୍ୟ ପ୍ରଭାବିତ ହୋଇପାରେ। ଫଳରେ ତୈଳ ଦର ବୃଦ୍ଧି ସହ ବିଶ୍ୱ ଅର୍ଥନୀତି ଉପରେ ଚାପ ବଢ଼ିବା ଆଶଙ୍କା ରହିଛି।

ଅନ୍ୟପଟେ, ଇସ୍ତାନବୁଲରେ ଏକାଠି ହୋଇଥିବା ତୁର୍କୀ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍, ଇଟାଲୀ, ଇଜିପ୍ଟ, ପାକିସ୍ତାନ ଓ ସାଉଦି ଆରବର ବୈଦେଶିକ ମନ୍ତ୍ରୀମାନେ ନୂଆ ଆକ୍ରମଣର ସମ୍ଭାବନାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ଏବେ ସମସ୍ତଙ୍କ ନଜର ଆମେରିକାର ପରବର୍ତ୍ତୀ ପଦକ୍ଷେପ ଉପରେ। ଯଦି ସଂଘର୍ଷ ଆହୁରି ବଢ଼େ, ତେବେ ଏହା ମଧ୍ୟପ୍ରାଚ୍ୟର ସୁରକ୍ଷା ସହ ବିଶ୍ୱର ଡିଜିଟାଲ୍ ଯୋଗାଯୋଗ ଓ ଅର୍ଥନୀତି ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ