ନୂଆଦିଲ୍ଲୀ: ରାଜନୈତିକ ଓ ସରକାରୀ କାର୍ଯ୍ୟକ୍ରମରେ ସାଧାରଣତଃ ନଜର ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିଲ୍ଲୀରେ ଏକ ଭିନ୍ନ ପରିବେଶରେ ଦେଖାଦେଇଛନ୍ତି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମର ବିଶେଷତା ଥିଲା ପାରମ୍ପରିକ ଭଜନର ଆଧୁନିକ ଉପସ୍ଥାପନା। ଯୁବପିଢ଼ି, ବିଶେଷକରି Gen Zଙ୍କ ଉପସ୍ଥିତିରେ ଭଜନଗୁଡ଼ିକୁ କନସର୍ଟ ଶୈଳୀରେ ପରିବେଷଣ କରାଯାଇଥିଲା। ମୋଦୀ ମଧ୍ୟ ଯୁବମାନଙ୍କ ସହ ବସି ଭଜନ ଶୁଣିବା ସହ ତାଳି ବଜାଇଥିଲେ। ତାଙ୍କୁ ଏକ ତାଳବାଦ୍ୟ ବଜାଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।
କାର୍ଯ୍ୟକ୍ରମରେ ଭଗବାନ ରାମ ଓ କୃଷ୍ଣଙ୍କୁ ନେଇ ବିଭିନ୍ନ ଭଜନ ପରିବେଷଣ ହୋଇଥିଲା। ଆଧୁନିକ ଲାଇଟ୍, ସାଉଣ୍ଡ ଓ ଷ୍ଟେଜ୍ ପ୍ରେଜେଣ୍ଟେସନ୍ ସହ ପାରମ୍ପରିକ ଭକ୍ତି ସଙ୍ଗୀତର ଏହି ମିଶ୍ରଣକୁ ‘ଭଜନ କ୍ଲବିଂ’ କୁହାଯାଉଛି। ଏହି ଫର୍ମାଟ୍ ଯୁବପିଢ଼ି ମଧ୍ୟରେ ଧୀରେ ଧୀରେ ଲୋକପ୍ରିୟତା ପାଉଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।
‘ଭଜନ କ୍ଲବିଂ’ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ପୂର୍ବରୁ ମଧ୍ୟ କଥା କହିଛନ୍ତି। ୨୦୨୬ ଜାନୁଆରୀର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସେ ଭକ୍ତି, ସଂସ୍କୃତି, ଆଧ୍ୟାତ୍ମିକତା ଓ ଆଧୁନିକତାର ମିଶ୍ରଣ ଭାବେ ଏହି ଧାରା ବିଷୟରେ ଉଲ୍ଲେଖ କରିଥିଲେ।
ଅନ୍ୟପକ୍ଷରେ, ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ସକାଳେ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ‘ଅନ୍ତ୍ୟୋଦୟ’ ଚିନ୍ତାଧାରାକୁ ସ୍ମରଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ, ସମାଜର ବଞ୍ଚିତ ଓ ଶେଷ ଧାଡ଼ିରେ ଥିବା ଲୋକଙ୍କ ଉନ୍ନତିକୁ ଉପାଧ୍ୟାୟ ରାଷ୍ଟ୍ର ନିର୍ମାଣର ଆଧାର ଭାବେ ଦେଖୁଥିଲେ।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଭାରତୀୟ ଜନସଂଘର ପ୍ରମୁଖ ନେତା ଥିଲେ ଏବଂ ‘ଅନ୍ତ୍ୟୋଦୟ’ ସହ ‘ଏକାତ୍ମ ମାନବବାଦ’ ଚିନ୍ତାଧାରା ପାଇଁ ପରିଚିତ। ତାଙ୍କ ଜୟନ୍ତୀ ପ୍ରତିବର୍ଷ ସେପ୍ଟେମ୍ବର ୨୫ରେ ପାଳନ କରାଯାଏ।
ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରେ ଆୟୋଜିତ ଏହି ଭିନ୍ନ ଧରଣର କାର୍ଯ୍ୟକ୍ରମରେ ମୋଦୀଙ୍କ ଯୋଗଦାନ ପରେ ‘ଭଜନ କ୍ଲବିଂ’ ଏବେ ପୁଣି ଚର୍ଚ୍ଚାରେ ରହିଛି।

