ଲାହୋର, ୨୧/୧୦: ପାକିସ୍ତାନରେ ସୁରକ୍ଷା ବାହିନୀ ଓ ବାଲୋଚ୍ ଲିବରେସନ୍ ଆର୍ମୀ (ବିଏଲଏ) ମଧ୍ୟରେ ସଂଘର୍ଷକୁ ନେଇ ଆସିଛି ବଡ଼ ଖବର। ପାକିସ୍ତାନୀ ସେନାର ଅନେକ ଯବାନ ନିହତ ହୋଇଥିବା ସହ କିଛି ସେନା ପୋଷ୍ଟକୁ ନିଜ କବ୍ଜାକୁ ନେଇଥିବା ଦାବି କରିଛି ବିଏଲଏ। ଏପରିକି କିଛି ଯବାନ ଆତ୍ମସମର୍ପଣ କରିଥିବା ମଧ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।
ବିଏଲଏର ଦାବି ଅନୁସାରେ, ଅକ୍ଟୋବର ୯ରୁ ୨୦ ତାରିଖ ମଧ୍ୟରେ ପାକିସ୍ତାନର ବିଭିନ୍ନ ସ୍ଥାନରେ ପ୍ରାୟ ୩୪ଟି ଅପରେସନ୍ କରାଯାଇଥିଲା। ଏହି ଅପରେସନ୍ଗୁଡ଼ିକରେ ପାକିସ୍ତାନୀ ସେନାକୁ ବଡ଼ କ୍ଷତି ପହଞ୍ଚାଇଥିବା ସଂଗଠନ ଦାବି କରିଛି।
୨୩ ଜଣଙ୍କୁ ନିପାତ କରିଥିବା ଦାବି
ବିଏଲଏ କହିଛି ଯେ, ଗୋଟିଏ ଦିନର ଅପରେସନ୍ରେ ୨୩ ଜଣ ପାକିସ୍ତାନୀ ସୁରକ୍ଷା କର୍ମୀଙ୍କୁ ନିପାତ କରାଯାଇଛି। ଏଥିରେ ପାକିସ୍ତାନୀ ସେନାର ୧୪ ଜଣ ଯବାନ ଏବଂ ଡେଥ୍ ସ୍କ୍ୱାଡ୍ର ୯ ଜଣ ସଦସ୍ୟ ଥିବା ସଂଗଠନ ଦାବି କରିଛି। ଏହାସହ ଜଣେ ସେନା ଯବାନଙ୍କୁ ଧରି ଅଟକ ରଖାଯାଇଥିବା ମଧ୍ୟ କୁହାଯାଇଛି।
ଜାତୀୟ ରାଜପଥ ଅବରୋଧ କରିଥିବା ଦାବି
ଅନ୍ୟପକ୍ଷରେ, ପାକିସ୍ତାନର ଅନେକ ଜାତୀୟ ରାଜପଥକୁ ନିଜ ନିୟନ୍ତ୍ରଣକୁ ନେଇଥିବା ଦାବି କରିଛି ବିଏଲଏ। ଏହାଦ୍ୱାରା ଦେଶର ଆର୍ଥିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବା ସଂଗଠନ କହିଛି। ବିଭିନ୍ନ ସ୍ଥାନରେ ଯାଞ୍ଚ ଓ ଅବରୋଧ କରାଯାଇଥିବା ବେଳେ ଏହାକୁ ରୋକିବାକୁ ପାକିସ୍ତାନୀ ସେନା ଉଦ୍ୟମ କରିଥିଲା।
ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିବା ବିଏଲଏ କହିଛି। ଏହି ସଂଘର୍ଷରେ ସଂଗଠନର ୬ ଜଣ ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଦାବି କରାଯାଇଛି।
ତେବେ, ଏହି ସମସ୍ତ ଦାବିର ସ୍ୱାଧୀନ ଭାବେ ସତ୍ୟତା ଯାଞ୍ଚ ହୋଇପାରିନାହିଁ। ଏନେଇ ପାକିସ୍ତାନୀ ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିଛି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

