ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହୋଇଛି ଲଘୁଚାପ କ୍ଷେତ୍ର। ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର ଦିଗକୁ ଗତି କରିବା ସହ ଅଧିକ ଶକ୍ତିଶାଳୀ ହୋଇପାରେ।
ଲଘୁଚାପର ପ୍ରଭାବରେ ରାଜ୍ୟରେ ବର୍ଷାର ତୀବ୍ରତା ବଢ଼ିବା ନେଇ ପାଣିପାଗ ବିଭାଗ ସତର୍କ କରିଛି। ଆସନ୍ତା ୨୪ ଘଣ୍ଟାରେ କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ। ଏହି ଆଶଙ୍କାକୁ ନଜରରେ ରଖି ଓଡ଼ିଶାରେ ରେଡ୍ ଆଲର୍ଟ ଜାରି କରାଯାଇଛି।
ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ସହ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଏଥିସହ ବିଭିନ୍ନ ନଦୀ ଓ ନାଳର ଜଳସ୍ତର ବଢ଼ିପାରେ। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଏବଂ ରାସ୍ତାଘାଟରେ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ମଧ୍ୟ ରହିଛି।
ଲଘୁଚାପର ଗତିପଥ ଓ ପରବର୍ତ୍ତୀ ସ୍ଥିତି ଉପରେ ପାଣିପାଗ ବିଭାଗ ନିରନ୍ତର ନଜର ରଖିଛି। ରେଡ୍ ଆଲର୍ଟ ଜାରି ହୋଇଥିବା ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଅତ୍ୟଧିକ ବର୍ଷା ସମୟରେ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରକୁ ନଯିବାକୁ କୁହାଯାଇଛି।

