ମୁମ୍ବାଇ : ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ତଥା ଟିଭିକେ ମୁଖ୍ୟ ସିଏମ ଥାଲାପତି ବିଜୟଙ୍କୁ ନେଇ ଏବେ ଉଭୟ ସିନେମା ଓ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି। ଏହା ସହ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ସହ ତାଙ୍କ ନାମ ଯୋଡ଼ି ବିଭିନ୍ନ ଗୁଜବ ମଧ୍ୟ ସୋସିଆଲ ମିଡିଆରେ ଘୁରୁଛି। ତେବେ ବିଜୟ କିମ୍ବା ତ୍ରିଶାଙ୍କ ପକ୍ଷରୁ ଏହି ଦାବିଗୁଡ଼ିକ ନେଇ କୌଣସି ଅଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ପୋଷ୍ଟ ଓ ରିଲ୍ରେ ଦାବି କରାଯାଉଛି ଯେ ତାମିଲନାଡୁ ନିର୍ବାଚନ ସରିଛି । ବିଜୟ ମୁଖ୍ୟମନ୍ତ୍ରୀ ଭାବେ କାମ କରୁଛନ୍ତି । କିଛି ଦିନ ପରେ ବିଜୟ ଓ ତ୍ରିଶା ବିବାହ କରିପାରନ୍ତି। ଏପରିକି ଏହି ବିବାହକୁ ବିଜୟଙ୍କ ପରିବାରର ସମର୍ଥନ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ଏହି ଦାବିର ସ୍ୱାଧୀନ ଭାବେ କୌଣସି ପ୍ରମାଣ ମିଳିନାହିଁ।
‘ଲିଓ’ ଫିଲ୍ମରେ ଏକାଠି କାମ କରିବା ପରେ ବିଜୟ ଓ ତ୍ରିଶାଙ୍କୁ ବିଭିନ୍ନ ସମୟରେ ଏକାଠି ଦେଖିବାକୁ ମିଳିଥିବାରୁ ତାଙ୍କ ସମ୍ପର୍କକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଆଲୋଚନା ବଢ଼ିଥିଲା। ସୋସିଆଲ ମିଡିଆରେ ଦୁହିଁଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଡେଟିଂ ନେଇ ମଧ୍ୟ ଅନେକ ଦାବି ସାମ୍ନାକୁ ଆସିଥିଲା। ତେବେ ଦୁହେଁ ଏହି ସମ୍ପର୍କ ବିଷୟରେ ସାର୍ବଜନୀନ ଭାବେ କିଛି କହିନାହାନ୍ତି।
ବିଜୟଙ୍କ ବିବାହିତ ଜୀବନକୁ ନେଇ ମଧ୍ୟ ଅନେକ ଦିନ ଧରି ସୋସିଆଲ ମିଡିଆରେ ବିଭିନ୍ନ ଦାବି ଘୁରୁଛି। ତାଙ୍କ ପତ୍ନୀ ସଙ୍ଗୀତାଙ୍କ ସହ ଛାଡ଼ପତ୍ର ହେବା ଏବଂ ବିଜୟଙ୍କୁ ଭରଣପୋଷଣ ବାବଦରେ ବଡ଼ ରାଶି ଦେବାକୁ ପଡ଼ିବ ବୋଲି ମଧ୍ୟ କିଛି ରିପୋର୍ଟ ଓ ସୋସିଆଲ ମିଡିଆ ପୋଷ୍ଟରେ ଦାବି ହୋଇଛି। ତେବେ ଏହି ଦାବିଗୁଡ଼ିକର ମଧ୍ୟ ଅଧିକାରିକ ପୁଷ୍ଟି ମିଳିନାହିଁ।
ଅନ୍ୟପଟେ, ତ୍ରିଶାଙ୍କ ପୂର୍ବତନ ବିବାହ ଯୋଜନାକୁ ନେଇ ମଧ୍ୟ ପୁରୁଣା ଘଟଣା ପୁଣି ଚର୍ଚ୍ଚାକୁ ଆସିଛି। ପ୍ରାୟ ୧୧ ବର୍ଷ ପୂର୍ବେ ବ୍ୟବସାୟୀ ବରୁଣ ମନିୟନଙ୍କ ସହ ତାଙ୍କ ନିର୍ବନ୍ଧ ହୋଇଥିଲା। ପରେ ଏହି ସମ୍ପର୍କ ବିବାହରେ ପରିଣତ ହୋଇନଥିଲା। ଅଭିନୟ ଜାରି ରଖିବା ନେଇ ତ୍ରିଶାଙ୍କ ନିଜସ୍ୱ ନିଷ୍ପତ୍ତିକୁ ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା।
ଏବେ ବିଜୟ ଓ ତ୍ରିଶାଙ୍କୁ ନେଇ ନୂଆ ବିବାହ ଗୁଜବ ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ତେବେ ଦୁହିଁଙ୍କ ମଧ୍ୟରେ ପ୍ରକୃତରେ କୌଣସି ସମ୍ପର୍କ ଅଛି କିମ୍ବା ବିବାହ ନେଇ କୌଣସି ଯୋଜନା ରହିଛି କି, ସେନେଇ ଏପର୍ଯ୍ୟନ୍ତ ବିଜୟ କିମ୍ବା ତ୍ରିଶାଙ୍କ ପକ୍ଷରୁ କୌଣସି ଘୋଷଣା ହୋଇନାହିଁ।
ସୂଚନାଯୋଗ୍ୟ, ବିଜୟ ମୁଖ୍ୟମନ୍ତ୍ରୀ ହେଲା ପରେ ଉଭୟ ତ୍ରିଶା ଏବଂ ବିଜୟ ଏକାଠି ନଜର ଆସୁଛନ୍ତି । ଏପରିକି ଘରେ ମଧ୍ୟ ସେମାନେ ସମୟ ଅତିବାହିତ କରୁଛନ୍ତି ।

