ଭୁବନେଶ୍ୱର, ୨୫/୧୦: ବଙ୍ଗୋପସାଗରରେ ଘନେଇଲା ବାତ୍ୟା ଆଶଙ୍କା। ଧୀରେ ଧୀରେ ଶକ୍ତିଶାଳୀ ହେଉଛି ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ର ଆକଳନ ଅନୁଯାୟୀ, ରବିବାର ଏହା ଗଭୀର ଅବପାତର ରୂପ ନେବ। ସୋମବାର ସୁଦ୍ଧା ବାତ୍ୟାରେ ପରିଣତ ହୋଇ ଅଧିକ ଶକ୍ତିଶାଳୀ ହେବା ସମ୍ଭାବନା ରହିଛି।
ଆକଳନ ଅନୁସାରେ, ଅକ୍ଟୋବର ୨୮ ତାରିଖ ସକାଳେ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିପାରେ। କାକିନାଡ଼ା ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ୟାର ପବନ ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ। ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିବା ଆଶଙ୍କା ରହିଛି।
ଏପଟେ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶାରେ ଚିନ୍ତା ବଢ଼ିଛି। ରାଜ୍ୟରେ ବାତ୍ୟା ସିଧାସଳଖ ମାଡ଼ ନ ହେଲେ ମଧ୍ୟ ଏହାର ବାହ୍ୟ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହୋଇପାରେ। ଅକ୍ଟୋବର ୨୭ ସନ୍ଧ୍ୟାରୁ ୨୮ ତାରିଖ ସନ୍ଧ୍ୟା ଯାଏଁ ଦକ୍ଷିଣ ଓଡ଼ିଶା ଏବଂ ଦକ୍ଷିଣ ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୬୦ କିଲୋମିଟର ଛୁଇଁପାରେ।
ଏହାସହ ୨୯ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।
ତେବେ ବାତ୍ୟାର ଗତିପଥ ଓ ତୀବ୍ରତାରେ ପରିବର୍ତ୍ତନ ହୋଇପାରେ। ତେଣୁ ପରବର୍ତ୍ତୀ ପାଣିପାଗ ବୁଲେଟିନ୍ ଉପରେ ନଜର ରଖିବା ସହ ଆଧିକାରିକ ସତର୍କ ସୂଚନାକୁ ଅନୁସରଣ କରିବା ଜରୁରୀ।

