ଅଗଷ୍ଟ ସାରା ବର୍ଷା, ଆସୁଛି ଭୟଙ୍କର ଲଘୁଚାପ

ଭୁବନେଶ୍ଵର: ଓଡ଼ିଶା ପିଛା ଛାଡ଼ୁନି ଲଘୁଚାପ, ବର୍ଷା ଓ ବନ୍ୟା। ୧୯ କିମ୍ବା ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲେ ମଧ୍ୟ ଧାର୍ଯ୍ୟ ସମୟର ପ୍ରାୟ ୨ରୁ ୩ ଦିନ ପୂର୍ବରୁ ହିଁ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।ରବିବାର ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଅଗଷ୍ଟ ମାସର ତୃତୀୟ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଶକ୍ତିଶାଳୀ ହୋଇ ଅବପାତର ରୂପ ନେଇପାରେ। ଏହାର ପ୍ରଭାବରେ ବିଶେଷକରି ଉତ୍ତର ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବ।ସୋମବାର ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହି ତିନି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। କେତେକ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ।

ଏହାବ୍ୟତୀତ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ମଧ୍ୟ ଭାରି ବର୍ଷା ହେବାର ସମ୍ଭାବନା ରହିଛି।୧୮ ତାରିଖରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ୧୮ ତାରିଖ ପରେ ବର୍ଷାର ପରିମାଣ କିଛିଟା କମିବାର ସମ୍ଭାବନା ରହିଛି।ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ୧୮ରୁ ୨୦ ତାରିଖ ମଧ୍ୟରେ ଲଘୁଚାପ ଗଠନ ହେବ ବୋଲି ବିଭିନ୍ନ ପାଣିପାଗ ମଡେଲ ପୂର୍ବାନୁମାନ କରିଥିଲା।

କିନ୍ତୁ ପୂର୍ବରୁ ଥିବା ଲଘୁଚାପ ପରେ ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ରହିବା ସହ ସୋମାଲି ଜେଟ୍‌ର ଶକ୍ତିଶାଳୀ ପ୍ରବାହ ଯୋଗୁଁ ଘୂର୍ଣ୍ଣିବଳୟ ଶୀଘ୍ର ସଂଗଠିତ ହୋଇଥିଲା। ଫଳରେ ଅନୁମାନଠାରୁ ଆଗୁଆ ଲଘୁଚାପ ସୃଷ୍ଟି ହୋଇଛି।ନୂଆ ଲଘୁଚାପଟି ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ ଯିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୬ରୁ ୧୯ ତାରିଖ ମଧ୍ୟରେ ଉପକୂଳ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ଭାରି ବର୍ଷା ହୋଇପାରେ। ୨୦ରୁ ୨୨ ତାରିଖ ମଧ୍ୟରେ ବର୍ଷାର ପ୍ରଭାବ କମିବା ସହ ୨୦ରୁ ୨୪ ତାରିଖ ମଧ୍ୟରେ କିଛି ସମୟ ପାଇଁ ପାଣିପାଗରେ ବିରାମ ଆସିପାରେ।କିନ୍ତୁ ଏହି ବିରାମ ଦୀର୍ଘସ୍ଥାୟୀ ହେବ ନାହିଁ। ୨୪ରୁ ୨୬ ତାରିଖ ମଧ୍ୟରେ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୨୬ରୁ ୨୮ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ୭୦ ପ୍ରତିଶତରୁ ଅଧିକ ବୋଲି ଆକଳନ କରାଯାଉଛି।

ବିଭିନ୍ନ ପାଣିପାଗ ମଡେଲ ମଧ୍ୟ ୨୫ରୁ ୨୭ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଗଠନର ସଙ୍କେତ ଦେଉଛି।ସମ୍ଭାବ୍ୟ ନୂଆ ଲଘୁଚାପ ପ୍ରଭାବରେ ୨୫ରୁ ୨୯ ତାରିଖ ମଧ୍ୟରେ ଓଡ଼ିଶାରେ ପୁଣି ବର୍ଷାର ପରିମାଣ ବଢ଼ିପାରେ। ଅର୍ଥାତ୍ ଆସନ୍ତା କିଛି ଦିନ ପରେ ପୁଣି ରାଜ୍ୟରେ ବର୍ଷା ଓ ବନ୍ୟା ଆଶଙ୍କା ଦେଖାଦେଇପାରେ।ଏପଟେ ଚଳିତ ମୌସୁମୀ ଋତୁରେ ଓଡ଼ିଶାରେ ସ୍ୱାଭାବିକଠାରୁ ୨୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ଜୁନ୍ ୧ରୁ ଅଗଷ୍ଟ ୧୬ ମଧ୍ୟରେ ସାଧାରଣତଃ ୭୪୯ ମିଲିମିଟର ବର୍ଷା ହେବା କଥା ଥିବାବେଳେ ଏଥର ୯୫୩ ମିଲିମିଟର ବର୍ଷା ହୋଇସାରିଛି। ବୌଦ୍ଧରେ ସ୍ୱାଭାବିକଠାରୁ ୧୧୨ ପ୍ରତିଶତ ଅଧିକ ବର୍ଷା ହୋଇଥିବାବେଳେ ସୋନପୁରରେ ୮୪, ବରଗଡ଼ରେ ୭୦, କେନ୍ଦ୍ରାପଡ଼ାରେ ୬୮ ଓ ଢେଙ୍କାନାଳରେ ୬୫ ପ୍ରତିଶତ ଅଧିକ ବର୍ଷା ହୋଇଛି।ତେବେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଅଧିକ ବର୍ଷା ହୋଇଥିଲେ ମଧ୍ୟ ନବରଙ୍ଗପୁର, ଗଜପତି ଓ କଳାହାଣ୍ଡିରେ ଏବେ ବି ବର୍ଷା ନିଅଣ୍ଟିଆ ସ୍ଥିତି ରହିଛି। ନବରଙ୍ଗପୁରରେ ସ୍ୱାଭାବିକଠାରୁ ୩୧ ପ୍ରତିଶତ, ଗଜପତିରେ ୨୭ ପ୍ରତିଶତ ଓ କଳାହାଣ୍ଡିରେ ୨୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ