ଆସନ୍ତାକାଲି ଓଡ଼ିଶା ବନ୍ଦ : ଗଡ଼ିବନି ଗାଡ଼ି, ଚକ ଅଖ ସବୁ ଠପ୍ !

ଭୁବନେଶ୍ୱର: ଅନଲାଇନ୍ ଟ୍ୟାକ୍ସି ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ବିରୋଧରେ ଆସନ୍ତା ସୋମବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ଓଡ଼ିଶା ଅନଲାଇନ୍ ଚାଳକ ମିଳିତ ମଞ୍ଚ। ଓଲା, ଉବର, ରାପିଡୋ, ଓଡ଼ିଶା ଯାତ୍ରୀ ସମେତ ବିଭିନ୍ନ ଅନଲାଇନ୍ ଟ୍ୟାକ୍ସି ଓ ଆପ୍ ଆଗ୍ରିଗେଟର ସଂସ୍ଥାଗୁଡ଼ିକର ମନମାନି ବିରୋଧରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଅନଲାଇନ୍ ଟ୍ୟାକ୍ସି ଭଡ଼ା ଉପରେ ସରକାର ନିୟନ୍ତ୍ରଣ ଲଗାଇବା ସହ ଡ୍ରାଇଭରମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସଂଘ ଦାବି କରିଛି।

୨୧ଟି ସଂଗଠନର ସମର୍ଥନରେ ଏହି ବନ୍ଦ ଡାକରା ଦିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲା ସମେତ କଟକ ଓ ଭୁବନେଶ୍ୱରରେ ମଧ୍ୟ ବନ୍ଦକୁ ବ୍ୟାପକ କରାଯିବ ବୋଲି ଜଣାପଡ଼ିଛି।

ସଂଘର ପ୍ରମୁଖ ଦାବି ମଧ୍ୟରେ ଅନଲାଇନ୍ ଟ୍ୟାକ୍ସିର ସର୍ବନିମ୍ନ ଓ ସର୍ବାଧିକ ଭଡ଼ା ନିର୍ଦ୍ଧାରଣ ରହିଛି। ସରକାର ଓ କମ୍ପାନିଗୁଡ଼ିକ ମିଳିତ ଭାବେ ଏକ ନିର୍ଦ୍ଦିଷ୍ଟ ଭଡ଼ା ସୀମା ଧାର୍ଯ୍ୟ କରନ୍ତୁ, ଯାହା ଭିତରେ କମ୍ପାନିମାନେ ଭଡ଼ା ଧାର୍ଯ୍ୟ କରିବେ ବୋଲି ଡ୍ରାଇଭର ସଂଗଠନ ଦାବି କରିଛି। ଗ୍ରାହକଙ୍କୁ କୌଣସି ଅଫର କିମ୍ବା ରିହାତି ଦିଆଗଲେ ତାହାର ଭାର ଡ୍ରାଇଭରଙ୍କ ଉପରେ ନ ପକାଇ କମ୍ପାନି ନିଜେ ବହନ କରୁ ବୋଲି ମଧ୍ୟ ଦାବି ହୋଇଛି।

ଡ୍ରାଇଭରଙ୍କ ଆକାଉଣ୍ଟ ବିନା ତଦନ୍ତ କିମ୍ବା ପ୍ରମାଣରେ ବ୍ଲକ୍ କରାଯିବାକୁ ମଧ୍ୟ ସଂଘ ବିରୋଧ କରିଛି। ଏଭଳି ଭାବେ ବ୍ଲକ୍ ହୋଇଥିବା ଆକାଉଣ୍ଟକୁ ତୁରନ୍ତ ଅନବ୍ଲକ୍ କରିବା ସହ ଆକାଉଣ୍ଟ ଖୋଲିବା ପାଇଁ ଡ୍ରାଇଭରଙ୍କଠାରୁ ଜରିମାନା ଆଦାୟ ନ କରିବାକୁ ଦାବି କରାଯାଇଛି। ଅଭିଯୋଗ ଉପରେ ଉପଯୁକ୍ତ ତଦନ୍ତ ପରେ ହିଁ କୌଣସି ପଦକ୍ଷେପ ନିଆଯାଉ ବୋଲି ସଂଘ କହିଛି।

ଏହାସହ ଯାତ୍ରୀଙ୍କ ଅପେକ୍ଷାରେ ଗାଡ଼ି ରହିଲେ ଡ୍ରାଇଭରଙ୍କୁ ଉଚିତ ୱେଟିଂ ଚାର୍ଜ ଦେବାକୁ ଦାବି ହୋଇଛି। ଟ୍ରାଫିକ୍ ଜାମ୍‌ରେ ଦୀର୍ଘ ସମୟ ଧରି ଗାଡ଼ି ଅଟକି ରହିଲେ ଡ୍ରାଇଭରଙ୍କ ଅତିରିକ୍ତ ସମୟ ଓ ଇନ୍ଧନ ଖର୍ଚ୍ଚକୁ ବିଚାର କରି ପାରିଶ୍ରମିକ ଦେବାକୁ ମଧ୍ୟ ସଂଘ ଦାବି କରିଛି।

ରାଇଡ୍ କ୍ୟାନ୍ସଲ ହେଲେ ଆଦାୟ ହେଉଥିବା କ୍ୟାନ୍ସଲେସନ୍ ଫି’ର ସମ୍ପୂର୍ଣ୍ଣ ଅଂଶ ଡ୍ରାଇଭରଙ୍କୁ ମିଳିବା ଉଚିତ ବୋଲି ଦାବି କରାଯାଇଛି। ଡ୍ରାଇଭର କିଛି କିଲୋମିଟର ଯାତ୍ରା କରିବା ପରେ ଗ୍ରାହକ ରାଇଡ୍ ବାତିଲ କଲେ ଡ୍ରାଇଭରଙ୍କ ଇନ୍ଧନ ଓ ସମୟ ଖର୍ଚ୍ଚ ହେଉଥିବାରୁ କ୍ୟାନ୍ସଲେସନ୍ ଫି’ର ଟଙ୍କା ଡ୍ରାଇଭରଙ୍କୁ ଦେବାକୁ ସଂଘ ଦାବି ରଖିଛି।

ଓଡ଼ିଶାରେ ବ୍ୟବସାୟ କରୁଥିବା ପ୍ରତ୍ୟେକ ଆପ୍ ଆଗ୍ରିଗେଟର କମ୍ପାନିର ଅତିକମ୍‌ରେ ଗୋଟିଏ କାର୍ଯ୍ୟାଳୟ ରାଜ୍ୟରେ ରହିବା ବାଧ୍ୟତାମୂଳକ କରିବାକୁ ମଧ୍ୟ ସଂଘ ଦାବି କରିଛି। ମଧ୍ୟସ୍ଥିଙ୍କ ଜରିଆରେ ଗାଡ଼ି ଚଳାଉଥିବା ଡ୍ରାଇଭରମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ଆଣି ସିଧାସଳଖ ଭାବେ ସମସ୍ୟାର ସମାଧାନ ପାଇଁ କମ୍ପାନିମାନଙ୍କ ଉପସ୍ଥିତି ଆବଶ୍ୟକ ବୋଲି କୁହାଯାଇଛି।

ଅନ୍ୟପଟେ, କମ୍ପାନିଗୁଡ଼ିକ ଅନିୟନ୍ତ୍ରିତ ଭାବେ ନୂଆ ଗାଡ଼ି ଆଟାଚ୍ କରୁଥିବାରୁ ଚାହିଦା ଓ ଯୋଗାଣ ମଧ୍ୟରେ ସନ୍ତୁଳନ ନଷ୍ଟ ହେଉଛି ଏବଂ ପୁରୁଣା ଡ୍ରାଇଭରଙ୍କ ଆୟ ପ୍ରଭାବିତ ହେଉଛି ବୋଲି ସଂଘ ଅଭିଯୋଗ କରିଛି। ତେଣୁ ନୂଆ ଗାଡ଼ି ଆଟାଚମେଣ୍ଟ ଉପରେ ରୋକ୍ ଲଗାଇ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ନୂଆ ଗାଡ଼ି ଯୋଡ଼ିବାକୁ ସଂଘ ଦାବି କରିଛି।

ଏହି ସମସ୍ତ ଦାବିକୁ ନେଇ ସୋମବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବାରୁ ରାଜ୍ୟରେ ଅନଲାଇନ୍ ଟ୍ୟାକ୍ସି ସେବା ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ