ଭୁବନେଶ୍ୱର : ବଡ ପ୍ଲାନ୍ କରୁଛି ଭାରତୀୟ ଜନତା ପାର୍ଟି । ସାରା ଗଞ୍ଜାମ ଜିଲ୍ଲାରେ ଦଳ ନିଜର ଦବଦବା ଜାହିର କରିବାକୁ ପ୍ରୟାସ କରୁଛି । ଜିଲ୍ଲାର ସବୁ ସିଟ୍ ଉପରେ ଦଳ ଆଖି ପକାଇଛି । କେମିତି ୨୦୨୯ରେ ସମସ୍ତ ଆସନରେ ପଦ୍ମଫୁଲ ଫୁଟିବ ସେନେଇ କସରତ ଆରମ୍ଭ ହୋଇଯାଇଛି ।
ଏକଦା ଗଞ୍ଜାମ ମାଟି ବିଜୁ ଜନତା ଦଳର ଗଡ ଥିଲା । ଏଠାରେ ସବୁ ଆସନରେ ଶଙ୍ଖ ବାଜୁଥିଲା । କିନ୍ତୁ ୨୦୨୪ରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା । ଜିଲ୍ଲାର କେବଳ ହିଞ୍ଜିଳି ଏବଂ ସାନଖେମୁଣ୍ଡିକୁ ଛାଡି ସବୁଠି ବିଜେପି ବାଜି ମାରିନେଇଥିଲା । କିନ୍ତୁ ୨୦୨୯ରେ ବିଜେପି ଏହି ଦୁଇ ଆସନ ହାତେଇବାକୁ ଲକ୍ଷ୍ୟ ରଖିଛି ।
ହିଞ୍ଜିଳି ହେଉଛି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗଡ । ସେ ଏଠାରୁ ଲଗାତାର ଭାବେ ଜିତି ଆସୁଛନ୍ତି । ଗତ ଥର ବିଜେପି ଏଠାରେ ଭଲ ଫାଇଟ୍ ଦେଇଥିଲେ ବି ବିଜୟୀ ହୋଇନଥିଲା । କିନ୍ତୁ ୨୦୨୯ରେ ବିଜେପି ଏଠାରେ ବଡ ଗୋଟିଚାଳନା କରିପାରେ । ଦଳ ରାଜ୍ୟର ଜଣେ ପ୍ରମୁଖ ଚେହେରାଙ୍କୁ ହିଞ୍ଜିଳି ପଠାଇପାରେ । ଯାହା ନବୀନଙ୍କ ଗଡକୁ ଦୋହଲାଇବାରେ ସକ୍ଷମ ହୋଇପାରିବ ।
ସେହିପରି ସାନଖେମୁଣ୍ଡିରେ ବିଜେପି ଅପେକ୍ଷାକୃତ ଦୁର୍ବଳ ରହିଛି । ଏଠାରେ କଂଗ୍ରେସ ୨୦୨୪ରେ ବାଜିମାରିନେଇଥିଲା । ରମେଶ ଜେନା ଜିତିଥିଲେ । ଏବେ ସେ କଂଗ୍ରେସରୁ ନିଲମ୍ବିତ ଅଛନ୍ତି । ତେଣୁ ସୁଯୋଗର ଫାଇଦା ନେବାକୁ ବିଜେପି ଅନାଇ ବସିଛି । ବିଜୁ ଜନତା ଦଳ ପକ୍ଷରୁ ଏଠାରେ ସୁଲକ୍ଷଣା ଦେବୀଙ୍କ କାଟତି ରହିଛି । ସେ ନିର୍ବାଚନମଣ୍ଡଳୀରେ ବୁଲୁଛନ୍ତି । କିନ୍ତୁ ବିଜେଡିକୁ ଆଗଭଳି ସମର୍ଥନ ମିଳୁନି । ତେଣୁ କଂଗ୍ରେସ ଏବଂ ବିଜେଡିର ଭୋଟବ୍ୟାଙ୍କ୍ ବିଜେପି ଆଡକୁ ଢଳିପାରେ ବୋଲି ଚର୍ଚ୍ଚା ହେଉଛି ।
ଯଦି ବିଜେପିର ପ୍ଲାନ୍ କାମ କରେ ତାହାଲେ ଗଞ୍ଜାମ ଜିଲ୍ଲା ଗେରୁଆ ହୋଇଯିବ । କାରଣ ଏଠାକାର ଦୁଇ ଜଣ ସାଂସଦ ଏବେ ବିଜେପିର । ଯଦି ସବୁ ବିଧାନସଭା ଆସନରେ ବିଜେପି ବାଜିମାତ କରେ ତାହାଲେ ରାଜ୍ୟ ରାଜନୀତିରେ ଏହାର ବଡ ପ୍ରଭାବ ପଡିବ ।

