ଖୁସି ଖବର : ରାଜ୍ୟ ସରକାର ଛାଡ଼ କଲେ କୃଷି ଋଣ, ଏହି ସବୁ ଲୋନ୍ ବି ଭରିବେ ସରକାର

ଚେନ୍ନାଇ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ଜୋସେଫ୍ ସୋମବାର ରାଜ୍ୟ ବିଧାନସଭାରେ କୃଷି ଋଣ ଛାଡ଼ ଯୋଜନାର ପରିଧି ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ନୂତନ ନିଷ୍ପତ୍ତି ପରେ ଯୋଜନା ପାଇଁ ମୋଟ ଆର୍ଥିକ ବ୍ୟୟ ୬,୨୨୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ଦ୍ୱାରା ରାଜ୍ୟର ୧୩.୩୪ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସମବାୟ ବ୍ୟାଙ୍କରୁ ନିଆଯାଇଥିବା ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରାଯିବ। ସେହିପରି ୭୫,୦୦୦ ଟଙ୍କାରୁ ୧ ଲକ୍ଷ ଟଙ୍କା ମଧ୍ୟରେ ଥିବା ଋଣ ଉପରେ ମଧ୍ୟ ସର୍ବାଧିକ ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ଼ ମିଳିବ। ଏହି ବ୍ୟବସ୍ଥା ଅନୁସାରେ ୨,୩୮,୨୬୪ ଜଣ ଚାଷୀ ଅତିରିକ୍ତ ଭାବେ ପ୍ରାୟ ୪୦ ହଜାର ଟଙ୍କାର ଲାଭ ପାଇବେ। ଏହାଛଡ଼ା ୧ ଲକ୍ଷ ଟଙ୍କାରୁ ଅଧିକ କୃଷି ଋଣ ନେଇଥିବା ଚାଷୀଙ୍କୁ ୩୫,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ ସୁବିଧା ଦିଆଯିବ।

ବିଧାନସଭାରେ ଘୋଷଣା କରି ମୁଖ୍ୟମନ୍ତ୍ରୀ ବିଜୟ ଜୋସେଫ୍ କହିଛନ୍ତି ଯେ କୃଷି ରାଜ୍ୟର ଅର୍ଥନୀତିର ମେରୁଦଣ୍ଡ। ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ଓ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ରାଜ୍ୟର ସମୃଦ୍ଧି ପାଇଁ ଅତ୍ୟନ୍ତ ଜରୁରୀ। ରାଜ୍ୟ ଆର୍ଥିକ ଚାପ ମଧ୍ୟରେ ଥିଲେ ମଧ୍ୟ ସରକାର ଚାଷୀମାନଙ୍କ ପାଇଁ ଅତିରିକ୍ତ ୯୫୩.୦୬ କୋଟି ଟଙ୍କାର ସହାୟତା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନୂତନ ବ୍ୟବସ୍ଥାରେ ଅତିରିକ୍ତ ୧.୩୮ ଲକ୍ଷ ଚାଷୀ ଲାଭାନ୍ୱିତ ହେବେ। ଏହାକୁ ମିଶାଇ ମୋଟ ୧୩.୩୪ ଲକ୍ଷରୁ ଅଧିକ ଚାଷୀ ଋଣ ଛାଡ଼ ଯୋଜନାର ସୁବିଧା ପାଇବେ। ସମ୍ପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାରୀ କୋଷାଗାରରୁ ମୋଟ ୬,୨୨୦ କୋଟି ଟଙ୍କା ବ୍ୟୟ କରାଯିବ।

ସୂଚନାଯୋଗ୍ୟ, ଗତ ମେ’ ମାସରେ ସରକାର ଗଠନର ୧୫ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରାଯାଇଥିଲା। ପରେ ବିଭିନ୍ନ କୃଷକ ସଂଗଠନ ସହ ଆଲୋଚନା ପରେ ଋଣ ଛାଡ଼ର ସୀମା ବୃଦ୍ଧି କରାଯାଇ ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ