ଭୁବନେଶ୍ୱର, ୨୫/୦୮: ମହାନଦୀରେ ପୁଣି ବଢ଼ିପାରେ ଜଳସ୍ତର। ମୁଣ୍ଡଳୀରେ ବର୍ତ୍ତମାନ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯ ହଜାର ଘନଫୁଟ ପାଣି ପ୍ରବାହିତ ହେଉଛି। ଆସନ୍ତା ୧୨ ଘଣ୍ଟାରେ ବରମୂଳର ପାଣି ମୁଣ୍ଡଳୀରେ ପହଞ୍ଚିବା ପରେ ଜଳସ୍ତର ବଢ଼ିପାରେ। ଏହାଦ୍ୱାରା ତଳିଆ ଅଞ୍ଚଳରେ ୮ରୁ ୧୦ ଘଣ୍ଟା ପାଣି ଜମି ରହିବା ଆଶଙ୍କା ରହିଛି।
ଖଇରମାଳରେ ୫ ଲକ୍ଷ ୯୦ ହଜାର ଓ ବରମୂଳରେ ୩ ଲକ୍ଷ ୧୧ ହଜାର ଘନଫୁଟ ପାଣି ପ୍ରବାହିତ ହେଉଛି। ତେବେ ଆସନ୍ତା ୩ ଦିନ ବିଶେଷ ବର୍ଷା ନଥିବାରୁ ବଡ଼ ବନ୍ୟା ଆଶଙ୍କା କମ୍ ରହିଛି। ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀରେ ମଧ୍ୟ ଜଳସ୍ତର କମୁଛି।ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୬ ଜିଲ୍ଲାର ୨୨ ବ୍ଲକର ୧ ଲକ୍ଷ ୭ ହଜାର ୨୩୫ ଜଣ ପ୍ରଭାବିତ ହୋଇଛନ୍ତି। ୨,୨୮୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୩୭୭ ଘର ଭାଙ୍ଗିଥିବାବେଳେ ୯୫ ବନ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।
ଏପଟେ ୨୮ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଓ ୩୦ରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ୨୭-୨୮ରୁ ବର୍ଷା ବଢ଼ିବ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରଥମେ ଏବଂ ୩୦-୩୧ରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ।

