ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ସମ୍ଭାବ୍ୟ ବାତ୍ୟା ‘ଅକଭାନ’। ଏହାକୁ ନେଇ ଓଡ଼ିଶାରେ ବଢ଼ିଛି ଚିନ୍ତା। ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ସମ୍ଭାବ୍ୟ ବାତ୍ୟା ସମୁଦ୍ର ମଧ୍ୟରେ ଭୀଷଣ ରୂପ ନେଇପାରେ। ତେବେ ଏହା କେଉଁଠି ସ୍ଥଳଭାଗ ଛୁଇଁବ ଏବଂ ଓଡ଼ିଶା ଉପରେ କେତେ ପ୍ରଭାବ ପକାଇବ, ସେନେଇ ଏବେ ସ୍ପଷ୍ଟ ଚିତ୍ର ମିଳିନାହିଁ।
ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୧୮ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ୨୦ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିବା ସମ୍ଭାବନା ଥିବାବେଳେ ଏହା ପରେ ମଧ୍ୟ ବର୍ଷା ଜାରି ରହିପାରେ। ବିଶେଷକରି ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହୋଇପାରେ।
ସମୁଦ୍ରରେ ଘନୀଭୂତ ହେଉଛି ଲଘୁଚାପ
ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ରବିବାର ସୁଦ୍ଧା ଅବପାତରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ ଅଧିକ ଘନୀଭୂତ ହେବାର ଆକଳନ କରାଯାଇଛି।
୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେଇପାରେ। ଏହି ବାତ୍ୟାର ନାମ ‘ଅକଭାନ’ ରଖାଯାଇଛି।
ଆଇଏମଡିର ପ୍ରାରମ୍ଭିକ ଆକଳନ ଅନୁସାରେ, ୧୮ ତାରିଖ ବେଳକୁ ବାତ୍ୟା ସମୁଦ୍ର ମଧ୍ୟରେ ଭୀଷଣ ରୂପ ନେଇପାରେ। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୯୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇପାରେ ବାତ୍ୟା
ବିଭିନ୍ନ ପାଣିପାଗ ମଡେଲର ଆକଳନ ଅନୁସାରେ, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବାର ଅଧିକ ସମ୍ଭାବନା ରହିଛି। ଜିଏଫଏସ୍ ମଡେଲ ଅନୁଯାୟୀ, ୧୯ ତାରିଖ ବିଳମ୍ବିତ ରାତି କିମ୍ବା ୨୦ ତାରିଖ ଭୋର ସମୟରେ ଏହା ଉତ୍ତର ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁପାରେ।
ସେହିପରି ଇସିଏମଡବଲ୍ୟୁଏଫ୍ ମଡେଲର ଆକଳନ ଅନୁସାରେ, ୨୦ ତାରିଖ ପୂର୍ବାହ୍ନରେ ବାତ୍ୟା ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିପାରେ। ଏପରିକି ଏହା ଅତି ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା ମଧ୍ୟ ରହିଛି।
ଦକ୍ଷିଣ ଓଡ଼ିଶା ନିକଟବର୍ତ୍ତୀ ଆନ୍ଧ୍ର ଉପକୂଳରେ ବାତ୍ୟା ମାଡ଼ ହେବାର ସମ୍ଭାବନା ଅଧିକ ଥିବାରୁ ଏହାର ପ୍ରଭାବ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକ ଉପରେ ପଡ଼ିପାରେ। ଫଳରେ ଏହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।
୧୯ ତାରିଖରେ ବଢ଼ିବ ବର୍ଷାର ପ୍ରଭାବ
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୧୮ ତାରିଖରେ ଦକ୍ଷିଣ, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି।
ଏହାସହ ଗଞ୍ଜାମଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳ ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।
ତେବେ ୧୯ ତାରିଖରୁ ପାଗ ଅଧିକ ଖରାପ ହେବା ସମ୍ଭାବନା ରହିଛି। ଉପକୂଳ, ଦକ୍ଷିଣ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ବର୍ଷା ହୋଇପାରେ। ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି।
ଏହି ତିନି ଜିଲ୍ଲାର କିଛି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିପାରେ। ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି।
ସମ୍ଭାବ୍ୟ ବାତ୍ୟାର ଗତିପଥ, ସ୍ଥଳଭାଗ ଛୁଇଁବା ସ୍ଥାନ ଏବଂ ଏହାର ତୀବ୍ରତା ନେଇ ଆଗାମୀ ଦିନରେ ଅଧିକ ସ୍ପଷ୍ଟ ସୂଚନା ମିଳିପାରେ। ତେଣୁ ପାଣିପାଗ ବିଭାଗର ପରବର୍ତ୍ତୀ ସତର୍କ ସୂଚନା ଉପରେ ନଜର ରହିଛି।

