ଲୁଚି ଲୁଚି ଭାରତୀୟ ଯବାନଙ୍କ ଉପରେ ନଜର ରଖିଛି ପାକିସ୍ତାନ : ସଶସ୍ତ୍ର ସୁରକ୍ଷା ବଳ whatsapp ଗ୍ରୁପରେ ପାକିସ୍ତାନୀ ଏଜେଣ୍ଟ !

ନୂଆଦିଲ୍ଲୀ: ଭାରତର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ସାଇବର ଗୁପ୍ତଚରୀ ମାମଲା। ଭାରତୀୟ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥା ପାକିସ୍ତାନୀ ଏଜେଣ୍ଟଙ୍କ ଏକ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛନ୍ତି। ଖବର ଅନୁସାରେ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ଏବଂ ପ୍ରତିରକ୍ଷା ବିଭାଗର ବେସାମରିକ ଅଧିକାରୀମାନେ ବ୍ୟବହାର କରୁଥିବା ୧୩ରୁ ୧୪ଟି ବ୍ୟକ୍ତିଗତ ହ୍ୱାଟସଆପ୍ ଗ୍ରୁପ୍‌ରେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ ଅନୁପ୍ରବେଶ କରିଥିବା ଜଣାପଡ଼ିଛି।

ସୁରକ୍ଷା ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ଏହି ତଥ୍ୟ ପରେ ବିଭିନ୍ନ ସୁରକ୍ଷା ଏଜେନ୍ସି ସତର୍କ ହୋଇଉଠିଛନ୍ତି। ସମସ୍ତ ସାମାଜିକ ଗଣମାଧ୍ୟମ ଗ୍ରୁପ୍‌ର ଯାଞ୍ଚ ଓ ଅଡିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତୀୟ ନମ୍ବର ବ୍ୟବହାର କରି ଗ୍ରୁପ୍‌ରେ ପ୍ରବେଶ

ଅଧିକାରୀଙ୍କ କହିବା ଅନୁସାରେ, ସନ୍ଦିଗ୍ଧ ପାକିସ୍ତାନୀ ଏଜେଣ୍ଟମାନେ ଭାରତୀୟ ମୋବାଇଲ୍ ନମ୍ବର ବ୍ୟବହାର କରି ଏହି ହ୍ୱାଟସଆପ୍ ଗ୍ରୁପ୍‌ଗୁଡ଼ିକରେ ସାମିଲ ହୋଇଥିଲେ। ଗ୍ରୁପ୍‌ରେ ଯୋଗ ଦେବା ପରେ ସେମାନେ ଚୁପ୍‌ଚାପ୍ ସଦସ୍ୟ ଭାବେ ରହୁଥିଲେ। କୌଣସି ଆଲୋଚନାରେ ଭାଗ ନନେଇ ଗ୍ରୁପ୍‌ରେ ହେଉଥିବା ବାର୍ତ୍ତାଳାପ ଓ ସେୟାର ହେଉଥିବା ଦସ୍ତାବିଜ୍ ଉପରେ ନଜର ରଖୁଥିଲେ।

ଏହା ପଛରେ ସମ୍ବେଦନଶୀଳ ସୁରକ୍ଷା ସୂଚନା ହାସଲ କରିବାର ଉଦ୍ଦେଶ୍ୟ ଥିବା ସନ୍ଦେହ କରାଯାଉଛି। ତେଣୁ ଏହାକୁ ଏକ ଯୋଜନାବଦ୍ଧ ସାଇବର ଗୁପ୍ତଚରୀ ଅଭିଯାନ ଭାବେ ଦେଖୁଛନ୍ତି ସୁରକ୍ଷା ଅଧିକାରୀ।

ସୋନିଆ ନାମରେ ଗ୍ରୁପ୍‌ରେ ସାମିଲ ହୋଇଥିଲେ

ଏହି ଘଟଣା ମଧ୍ୟରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୋନିଆ ନାମରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ନିଜକୁ DRDO ଅଧିକାରୀ ବୋଲି ପରିଚୟ ଦେଇ ଏକ ହ୍ୱାଟସଆପ୍ ଗ୍ରୁପ୍‌ରେ ସାମିଲ ହୋଇଥିଲେ। ପରେ ତାଙ୍କ ଉପରେ ସନ୍ଦେହ ହେବାରୁ ଅଧିକାରୀମାନେ ତାଙ୍କୁ ଗ୍ରୁପ୍‌ରୁ ବ୍ଲକ୍ କରିଥିଲେ।

ଏହି ଅନୁପ୍ରବେଶ ପଛରେ ଟଙ୍କା କାରବାର ହୋଇଥିବା ନେଇ ମଧ୍ୟ ଆଶଙ୍କା କରାଯାଉଛି।

ସୁରକ୍ଷା ବାହିନୀକୁ ହାଇଆଲର୍ଟ

ଘଟଣା ପରେ ସମସ୍ତ ସୁରକ୍ଷା ବାହିନୀ ଓ ପ୍ରତିରକ୍ଷା ବିଭାଗର ସଂଗଠନଗୁଡ଼ିକୁ ନିଜ ନିଜ ସୋସିଆଲ ମିଡିଆ ଗ୍ରୁପ୍‌ର ଯାଞ୍ଚ କରିବାକୁ କୁହାଯାଇଛି। ଅଜଣା ଓ ସନ୍ଦିଗ୍ଧ ସଦସ୍ୟଙ୍କୁ ତୁରନ୍ତ ହଟାଇବା ସହ ସାଇବର ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି।

ଏଥିସହ ସାମାଜିକ ଗଣମାଧ୍ୟମରେ କୌଣସି ଗୁପ୍ତ କିମ୍ବା ସମ୍ବେଦନଶୀଳ ସୂଚନା ସେୟାର ନକରିବାକୁ ମଧ୍ୟ ଅଧିକାରୀମାନଙ୍କୁ ସତର୍କ କରାଯାଇଛି। ଏହି ଘଟଣା ଭାରତର ସାଇବର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନ ଠିଆ କରିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ