କଟକ: ଆଜିଠୁ ଆରମ୍ଭ ହେବ ଓଡ଼ିଶାର ଐତିହାସିକ ବାଲିଯାତ୍ରା। ମହାନଦୀ କୂଳରେ ଜମିବ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼। ପ୍ରାଚୀନ କଳିଙ୍ଗର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ଐତିହ୍ୟକୁ ମନେ ପକାଇବ ଏହି ମହାନ ଉତ୍ସବ। ଚଳିତବର୍ଷ ବାଲିଯାତ୍ରାର ଉଦ୍ଘାଟନୀ ସମାରୋହକୁ ଆହୁରି ସ୍ୱତନ୍ତ୍ର କରିବେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଐତିହାସିକ ମେଳାର ଶୁଭାରମ୍ଭ କରିବେ।
ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ହେବ ଉଦ୍ଘାଟନ
ମଙ୍ଗଳବାର କଟକ ମହାନଦୀ କୂଳରେ ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବ ଆୟୋଜିତ ହେବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ସାମିଲ ହେବେ। ତାଙ୍କ ସହ ରାଜ୍ୟପାଳ ବ୍ରଜମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ।
ପାପନ୍ ଓ ଅମିତ ମିଶ୍ରଙ୍କ ଗୀତରେ ଝୁମିବେ ଦର୍ଶକ
ଏଥର ବାଲିଯାତ୍ରାର ସାଂସ୍କୃତିକ ସନ୍ଧ୍ୟା ମଧ୍ୟ ବେଶ୍ ଆକର୍ଷଣୀୟ ହେବ। ବଲିଉଡ୍ ଓ ଓଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀମାନେ ନିଜ ସଙ୍ଗୀତରେ ଦର୍ଶକଙ୍କ ମନ ଜିଣିବେ। ବିଶେଷକରି ପାପନ୍ ଓ ଅମିତ ମିଶ୍ରଙ୍କ ଷ୍ଟାର୍ ନାଇଟ୍ ଏଥରର ମୁଖ୍ୟ ଆକର୍ଷଣ ରହିବ।
୨ ହଜାରରୁ ଅଧିକ ଷ୍ଟଲ୍, ରହିଛି ଅନେକ ଆକର୍ଷଣ
ଚଳିତବର୍ଷ ବାଲିଯାତ୍ରା ଉଭୟ ତଳ ଓ ଉପର ପଡ଼ିଆରେ ଆୟୋଜିତ ହେଉଛି। ଏଥିପାଇଁ ଷ୍ଟଲ୍ ସଂଖ୍ୟା ମଧ୍ୟ ବଢ଼ାଯାଇଛି। ଦୁଇ ହଜାରରୁ ଅଧିକ ଷ୍ଟଲ୍ରେ ମିଳିବ ବିଭିନ୍ନ ସାମଗ୍ରୀ ଓ ସୁସ୍ୱାଦୁ ଖାଦ୍ୟ। ଦୋଳି, ହସ୍ତତନ୍ତ ସାମଗ୍ରୀ, ଓରମାସ୍ ଷ୍ଟଲ୍, ଠୁଙ୍କାପୁରୀ ଓ କଟକର ପ୍ରସିଦ୍ଧ ଦହିବରା ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହେବ।
ଏହାବ୍ୟତୀତ ଟାଇଟାନିକ୍ ଜାହାଜର ପ୍ରତିକୃତି, ଜାପାନ ସିଟି ଓ ଭେନିସ୍ ସିଟି ଦେଖିବାକୁ ମିଳିବ। ବାଲି ଓ ପ୍ରାଚୀନ କଳିଙ୍ଗ ମଧ୍ୟରେ ଥିବା ନୌବାଣିଜ୍ୟ ସମ୍ପର୍କକୁ ନେଇ ପ୍ରସ୍ତୁତ ‘କଟକ ଇନ୍ କଟକ’ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ।
ସୁରକ୍ଷା ଦାୟିତ୍ୱରେ ୭୦ ପ୍ଲାଟୁନ୍ ଫୋର୍ସ
ବାଲିଯାତ୍ରାରେ ପ୍ରତିଦିନ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ତେବେ ରାଷ୍ଟ୍ରପତିଙ୍କ ଆଗମନ ଓ ଅନେକ ନୂଆ ଆକର୍ଷଣକୁ ନେଇ ଏଥର ବାଲିଯାତ୍ରା ବେଶ୍ ଜମିବ ବୋଲି ଆଶା କରାଯାଉଛି।

