କଗିଛନ୍ତି ଆତଙ୍କବାଦୀ : ଭାରତରେ ପଶିବାକୁ ଖୋଜୁଛନ୍ତି ସୁଯୋଗ

ନୂଆଦିଲ୍ଲୀ: ଶୀତଋତୁ ଆରମ୍ଭ ହେବା ସହ ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ ପାଇଁ ନୂଆ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ। ବରଫପାତ ଯୋଗୁଁ ସୀମାନ୍ତ ରାସ୍ତା ବନ୍ଦ ହେବା ପୂର୍ବରୁ ଭାରତକୁ ଅଧିକ ସଂଖ୍ୟାରେ ଆତଙ୍କବାଦୀ ପଠାଇବାକୁ ଯୋଜନା ହୋଇଥିବା ସୂଚନା ମିଳିଛି। ଏଥିପାଇଁ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ପ୍ରାୟ ୮୦ଟି ଆତଙ୍କୀ ଲଞ୍ଚପ୍ୟାଡ୍ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଏହି ୮୦ଟି ଲଞ୍ଚପ୍ୟାଡ୍ ମଧ୍ୟରୁ ୬୦ରୁ ଅଧିକ ଜମ୍ମୁ କ୍ଷେତ୍ରର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ସମ୍ମୁଖରେ ରହିଛି। ଏହି ଠିକଣାଗୁଡ଼ିକରେ ଥର୍ମାଲ ସେନ୍ସର ଓ ଆଣ୍ଟି-ଡ୍ରୋନ୍ ବ୍ୟବସ୍ଥା ମଧ୍ୟ ଲଗାଯାଇଛି। ଫଳରେ ଭାରତୀୟ ସୁରକ୍ଷା ବାହିନୀର ନଜରରୁ ବର୍ତ୍ତିବା ପାଇଁ ଆତଙ୍କବାଦୀମାନେ ନୂଆ କୌଶଳ ଆପଣାଉଥିବା ଆଶଙ୍କା କରାଯାଉଛି।

ମୁନିରଙ୍କ ନିର୍ଦ୍ଦେଶରେ ଚାଲିଛି ଯୋଜନା!

ରିପୋର୍ଟ ଅନୁସାରେ, ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିରଙ୍କ ନିର୍ଦ୍ଦେଶରେ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏହି ଲଞ୍ଚପ୍ୟାଡ୍‌ଗୁଡ଼ିକର ପରିଚାଳନା କରୁଛି। ପ୍ରତ୍ୟେକ ଲଞ୍ଚପ୍ୟାଡ୍‌ରେ ଲସ୍କର-ଇ-ତୋଇବା ଏବଂ ଜୈଶ-ଇ-ମହମ୍ମଦର ୪ରୁ ୫ ଜଣ ଲେଖାଏଁ ଆତଙ୍କବାଦୀଙ୍କୁ ରଖାଯାଇଥିବା ଦାବି କରାଯାଇଛି। ସୁଯୋଗ ମିଳିବା ମାତ୍ରେ ସେମାନେ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଅପେକ୍ଷା କରିଛନ୍ତି।

ଅପରେସନ୍ ସିନ୍ଦୂର ପରେ ବଦଳିଲା ରଣନୀତି

ଅପରେସନ୍ ସିନ୍ଦୂର ସମୟରେ ଭାରତୀୟ ସେନାର ଆକ୍ରମଣରେ ପାକିସ୍ତାନର ଅନେକ ବଡ଼ ଆତଙ୍କୀ ଠିକଣା ଧ୍ୱଂସ ହୋଇଥିଲା। ଏହାପରେ ପାକିସ୍ତାନ ନିଜର ପୁରୁଣା ରଣନୀତିରେ ପରିବର୍ତ୍ତନ ଆଣିଥିବା କୁହାଯାଉଛି। ବଡ଼ ବଡ଼ ଆତଙ୍କୀ ଶିବିର ପରିବର୍ତ୍ତେ ଏବେ ଛୋଟ ଛୋଟ ଲଞ୍ଚପ୍ୟାଡ୍ ତିଆରି କରାଯାଉଛି।

ପ୍ରତ୍ୟେକ ଠିକଣାରେ ଅଳ୍ପ ସଂଖ୍ୟକ ଆତଙ୍କବାଦୀଙ୍କୁ ରଖିବା ପଛରେ ଏକ ବଡ଼ ରଣନୀତି ଥିବା ଆକଳନ କରାଯାଉଛି। ଯଦି ଭାରତୀୟ ସେନା କୌଣସି ଗୋଟିଏ ଲଞ୍ଚପ୍ୟାଡ୍ ଉପରେ ଆକ୍ରମଣ କରେ, ତେବେ ଅନ୍ୟ ଠିକଣାଗୁଡ଼ିକ ସୁରକ୍ଷିତ ରହିପାରିବ। ଏହାଦ୍ୱାରା ସମ୍ପୂର୍ଣ୍ଣ ଆତଙ୍କୀ ନେଟୱର୍କ ଏକାଥରେ ନଷ୍ଟ ହେବାର ଆଶଙ୍କା କମିବ। ଏଥିସହ ଛୋଟ ଛୋଟ ଶିବିରଗୁଡ଼ିକୁ ଚିହ୍ନଟ କରିବା ମଧ୍ୟ ସହଜ ହେବନାହିଁ।

ସୁରକ୍ଷା ପାଇଁ ଲଗାଯାଇଛି ଅତ୍ୟାଧୁନିକ ଉପକରଣ

ପିଓକେରେ ଥିବା ଏହି ଲଞ୍ଚପ୍ୟାଡ୍‌ଗୁଡ଼ିକରେ ଥର୍ମାଲ ସେନ୍ସର ଓ ଆଣ୍ଟି-ଡ୍ରୋନ୍ ସିଷ୍ଟମ ଲଗାଯାଇଥିବା ସୂଚନା ମିଳିଛି। ଥର୍ମାଲ ସେନ୍ସର ଜରିଆରେ ଅନ୍ଧାର ରାତି କିମ୍ବା ଖରାପ ପାଗରେ ମଧ୍ୟ ମଣିଷର ଉପସ୍ଥିତି ଚିହ୍ନଟ କରିହେବ। ସେହିପରି ଆଣ୍ଟି-ଡ୍ରୋନ୍ ବ୍ୟବସ୍ଥା ଜରିଆରେ ନିରୀକ୍ଷଣ ପାଇଁ ଆସୁଥିବା ଡ୍ରୋନ୍‌ଗୁଡ଼ିକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକୁ ଅଟକାଇବାକୁ ଉଦ୍ୟମ କରାଯାଇପାରିବ।

ଏହି ଅତ୍ୟାଧୁନିକ ଉପକରଣ ଲଗାଇ ଆତଙ୍କୀ ଶିବିରଗୁଡ଼ିକର ସୁରକ୍ଷା ବଢ଼ାଇବାକୁ ପାକିସ୍ତାନ ଉଦ୍ୟମ କରୁଥିବା ରିପୋର୍ଟରେ ଦାବି କରାଯାଇଛି। ଶୀତଋତୁରେ ବରଫପାତ ବଢ଼ିବା ପୂର୍ବରୁ ଏହି ଅନୁପ୍ରବେଶ ଯୋଜନା ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ