ନୂଆଦିଲ୍ଲୀ: ଚିନି ଉତ୍ପାଦନ ବଢ଼ିଲା, ଯୋଗାଣ ମଧ୍ୟ ଭଲ ରହିଛି। ହେଲେ ଖୁଚୁରା ବଜାରରେ କମିବା ବଦଳରେ ବଢ଼ି ଚାଲିଛି ଚିନି ଦର। ଗୋଟିଏ ବର୍ଷ ମଧ୍ୟରେ ଚିନି ମୂଲ୍ୟରେ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ବଜାର ଉପରେ କଡ଼ା ନଜର ରଖିଛନ୍ତି କେନ୍ଦ୍ର ସରକାର। ଆବଶ୍ୟକ ପଡ଼ିଲେ ବଫର ଷ୍ଟକ୍ରୁ ଚିନି ବଜାରକୁ ଛାଡ଼ିବାକୁ ମଧ୍ୟ ଯୋଜନା ରହିଛି।
ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଖାଦ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଦେଶର ଚିନି ଉତ୍ପାଦନ, ଯୋଗାଣ ଓ ବଜାର ଦର ସମ୍ପର୍କରେ ଆଲୋଚନା ହୋଇଥିଲା। ଚିନି ମୂଲ୍ୟ ନିୟନ୍ତ୍ରଣରେ ରଖିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।
ବିଶେଷକରି ମୂଲ୍ୟ ସ୍ଥିରତା ପାଣ୍ଠି (Price Stabilisation Fund) ଅଧୀନରେ ଥିବା ବଫର ଷ୍ଟକ୍କୁ ଆବଶ୍ୟକତା ଅନୁସାରେ ବଜାରକୁ ଛାଡ଼ିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ବଜାରରେ ଚିନି ଯୋଗାଣ ବଢ଼ିବା ସହ ଦର ନିୟନ୍ତ୍ରଣକୁ ଆସିପାରିବ। ଫଳରେ ସାଧାରଣ ଗ୍ରାହକ ଉଚିତ ମୂଲ୍ୟରେ ଚିନି କିଣିପାରିବେ।
ବର୍ଷକରେ ୩୦% ବଢ଼ିଲା ଚିନି ଦର
ଉପଭୋକ୍ତା ବ୍ୟାପାର ବିଭାଗର ତଥ୍ୟ ଅନୁସାରେ, ୨୦୨୬ ନଭେମ୍ବର ୧୧ ତାରିଖରେ ଦେଶରେ ଚିନିର ହାରାହାରି ଖୁଚୁରା ମୂଲ୍ୟ କିଲୋ ପ୍ରତି ୬୦ ଟଙ୍କା ୫୩ ପଇସା ରହିଥିଲା। ଗତବର୍ଷ ଏହି ସମୟରେ ଚିନି ଦର କିଲୋ ପ୍ରତି ୪୬ ଟଙ୍କା ୬୧ ପଇସା ଥିଲା। ଅର୍ଥାତ୍ ବର୍ଷକ ମଧ୍ୟରେ କିଲୋ ପ୍ରତି ପ୍ରାୟ ୧୪ ଟଙ୍କା ବୃଦ୍ଧି ହୋଇଛି।
ସେହିପରି ଅକ୍ଟୋବର ୧୧ ତାରିଖରେ ଚିନିର ହାରାହାରି ଖୁଚୁରା ଦର ୫୪ ଟଙ୍କା ୯୨ ପଇସା ଥିଲା। ମାତ୍ର ଗୋଟିଏ ମାସ ମଧ୍ୟରେ ଏହା ଆହୁରି ବଢ଼ିଛି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାର ଆଶଙ୍କା ରହିଛି।
୪ ଗୁଣ ବଢ଼ିଲା ଚିନି ଉତ୍ପାଦନ
ଚିନି ଦର ବୃଦ୍ଧି ମଧ୍ୟରେ ଉତ୍ପାଦନ ସମ୍ପର୍କିତ ତଥ୍ୟ କିନ୍ତୁ ଆଶ୍ଚର୍ଯ୍ୟଜନକ। ଇଣ୍ଡିଆନ୍ ସୁଗାର ଆଣ୍ଡ ବାୟୋ-ଏନର୍ଜି ମ୍ୟାନୁଫାକ୍ଚରର୍ସ ଆସୋସିଏସନ୍ର ତଥ୍ୟ ଅନୁସାରେ, ନଭେମ୍ବର ୫ ସୁଦ୍ଧା ଦେଶରେ ୧୨.୮୫ ଲକ୍ଷ ଟନ୍ ଚିନି ଉତ୍ପାଦନ ହୋଇଛି। ଗତବର୍ଷ ସମାନ ସମୟରେ ଏହା ମାତ୍ର ୩.୨୦ ଲକ୍ଷ ଟନ୍ ଥିଲା। ଅର୍ଥାତ୍ ଚଳିତବର୍ଷ ଉତ୍ପାଦନ ପ୍ରାୟ ୪ ଗୁଣ ବୃଦ୍ଧି ପାଇଛି।
ଅନ୍ୟପକ୍ଷରେ, ନଭେମ୍ବର ୫ ସୁଦ୍ଧା ଦେଶର ୧୮୪ଟି ଚିନି କଳରେ ଆଖୁ ପେଡ଼ା ଆରମ୍ଭ ହୋଇଥିଲା। ଗତବର୍ଷ ଏହି ସମୟରେ ମାତ୍ର ୧୫୪ଟି ଚିନି କଳ କାର୍ଯ୍ୟକ୍ଷମ ହୋଇଥିଲା। ଏଥିରୁ ଚଳିତ ଚିନି ଉତ୍ପାଦନ ଋତୁ ଗତବର୍ଷ ତୁଳନାରେ ଆଗୁଆ ଆରମ୍ଭ ହୋଇଥିବା ସ୍ପଷ୍ଟ ହେଉଛି।
ତେବେ ଉତ୍ପାଦନ ଓ ଯୋଗାଣ ବଢ଼ିବା ସତ୍ତ୍ୱେ ଚିନି ଦର କାହିଁକି ହ୍ରାସ ପାଉନାହିଁ, ତାହା ଏବେ ବଡ଼ ପ୍ରଶ୍ନ। ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ ପରେ ଖୁଚୁରା ବଜାରରେ ଚିନି ଦର କମୁଛି କି ନାହିଁ, ତାହା ଉପରେ ନଜର ରହିବ।

