ନବରଙ୍ଗପୁର : ହଠାତ ଜଙ୍ଗଲରୁ ମାଡ଼ି ଆସିଲା ବିରାଟ ବାଘ : କୁନି ଝିଅକୁ ଟେକିନେଲା

ନବରଙ୍ଗପୁର: ଘର ଅଗଣାରେ ଖେଳୁଥିଲା ଦୁଇ ବର୍ଷର କୁନି ଝିଅ। ହେଲେ ହଠାତ୍ ଜଙ୍ଗଲରୁ ମାଡ଼ି ଆସିଲା କଲରାପତରିଆ ବାଘ। କେହି କିଛି ବୁଝିବା ପୂର୍ବରୁ ଶିଶୁକନ୍ୟାକୁ ଝାମ୍ପି ନେଇ ଜଙ୍ଗଲ ଭିତରକୁ ଚାଲିଗଲା। ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

ସୂଚନା ଅନୁସାରେ, ରାଇଘର ବ୍ଲକ୍‌ର ସୀମାନ୍ତ ଯୋଡ଼ିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଚଡ଼ିଆପାରା ଗ୍ରାମରେ ସୋମବାର ସନ୍ଧ୍ୟା ପ୍ରାୟ ୭ଟାରେ ଏହି ଘଟଣା ଘଟିଛି। ଗ୍ରାମର ବିଷ୍ଣୁ ଗଣ୍ଡ ଓ ତାଙ୍କ ପତ୍ନୀ ସୁମିତ୍ରା ଗଣ୍ଡଙ୍କ ଦୁଇ ବର୍ଷର ଝିଅ ବେଦିକା ଘର ଅଗଣାରେ ଥିଲା। ଏହି ସମୟରେ ତାଙ୍କ ମାଆ ଘର ଭିତରେ ଖାଇବାକୁ ବସିଥିଲେ।

ଠିକ୍‌ ଏତିକିବେଳେ ଜଙ୍ଗଲ ପଟୁ ଏକ କଲରାପତରିଆ ବାଘ ଆସି ଶିଶୁକନ୍ୟାକୁ ଝାମ୍ପି ନେଇଥିଲା। ପରେ ତାକୁ ନେଇ ଜଙ୍ଗଲ ଭିତରକୁ ପଳାଇଥିଲା।

ଅଗଣାରେ ରକ୍ତ ଛିଟା, ଜଙ୍ଗଲରେ ଖୋଜାଖୋଜି

ଘଟଣା ପରେ ଘର ଅଗଣାର କିଛି ସ୍ଥାନରେ ରକ୍ତ ଛିଟା ପଡ଼ିଥିବା ଦେଖି ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ। ନିକଟସ୍ଥ ବାଉଁଶ ବୁଦା ପାଖରେ ବାଘ ଥିବା ସନ୍ଦେହ କରି ସେମାନେ କୁନ୍ଦେଇ ବନ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ବନ ବିଭାଗର କର୍ମଚାରୀ ଓ ଗ୍ରାମବାସୀ ମିଳିତ ଭାବେ ଜଙ୍ଗଲରେ ଶିଶୁକନ୍ୟାକୁ ଖୋଜିଥିଲେ। ତେବେ ଦୀର୍ଘ ସମୟ ଖୋଜାଖୋଜି ପରେ ମଧ୍ୟ ବେଦିକାଙ୍କ କୌଣସି ପତ୍ତା ମିଳିପାରିନାହିଁ।

ଜଙ୍ଗଲ ପାଖରେ ଗାଁ, ବଢ଼ିଲା ବାଘ ଭୟ

ସୂଚନା ଅନୁସାରେ, ବିଷ୍ଣୁ ଗଣ୍ଡଙ୍କ ଘରଠାରୁ ମାତ୍ର ୫୦ ମିଟର ଦୂରରେ ସଂରକ୍ଷିତ ଜଙ୍ଗଲ ରହିଛି। ଏହି ଜଙ୍ଗଲ ଛତିଶଗଡ଼ ସୀମାକୁ ଲାଗିଥିବାରୁ ବାଘର ନିୟମିତ ଯାତାୟାତ ନେଇ ଆଶଙ୍କା କରାଯାଉଛି।

ଏହା ପୂର୍ବରୁ ସୋମବାର ଅପରାହ୍ନ ପ୍ରାୟ ୩ଟାରେ ନିକଟସ୍ଥ ମାରିପାରା ଗ୍ରାମର କିଛି ଲୋକ ଜଙ୍ଗଲରେ ଏକ କଲରାପତରିଆ ବାଘକୁ ଦେଖିଥିବା କହିଛନ୍ତି। ମାରିପାରା ଓ ଚଡ଼ିଆପାରା ଗ୍ରାମ ପରସ୍ପରକୁ ଲାଗି ରହିଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଶିଶୁକନ୍ୟାର ଖୋଜଖବର ମିଳିନଥିବାରୁ ପରିବାର ଲୋକେ ଚିନ୍ତାରେ ରହିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ