ଦିଲ୍ଲୀ : ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆ ପରେ ଏବେ ରାଜନୀତି ମୈଦାନରେ ନୂଆ ଇନିଂସ ଆରମ୍ଭ କରିଛନ୍ତି ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ। ବିଜେପିରେ ସାମିଲ ହେବା ପରେ ତାଙ୍କୁ ଦଳର ଓବିସି ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀରେ ସ୍ଥାନ ମିଳିଛି। ତାଙ୍କୁ ବିଶେଷ ଆମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଓବିସି ମୋର୍ଚ୍ଚାର ନୂତନ ଟିମ୍ ଗଠନ ସମୟରେ ଚହଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।
ବିଜେପିର ଜାତୀୟ ସଭାପତି ନିତିନ ନବୀନ ଓବିସି ମୋର୍ଚ୍ଚାରେ ବଡ଼ ଧରଣର ପରିବର୍ତ୍ତନ କରିବା ସହ ନୂଆ ନିଯୁକ୍ତି ଘୋଷଣା କରିଛନ୍ତି। ଏହି ନୂଆ ଟିମ୍ରେ ଚହଲଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିଛି। ଏହା ପୂର୍ବରୁ ସେ ଓବିସି ମୋର୍ଚ୍ଚାର ଜାତୀୟ ସଭାପତି ତଥା ଉତ୍ତରପ୍ରଦେଶର ରାଜ୍ୟସଭା ସାଂସଦ ଅମରପାଲ ମୌର୍ଯ୍ୟଙ୍କୁ ଭେଟିଥିଲେ। ତାଙ୍କ ଉପସ୍ଥିତିରେ ହିଁ ଚହଲ ବିଜେପିରେ ସାମିଲ ହୋଇଥିଲେ।
କ୍ରୀଡ଼ା ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ଚହଲଙ୍କୁ ଦଳରେ ସାମିଲ କରିବା ପରେ ବିଜେପିର ଓବିସି ମୋର୍ଚ୍ଚା ଆହୁରି ମଜଭୁତ ହେବ ବୋଲି ଦଳୀୟ କର୍ମୀ ଆଶା ରଖିଛନ୍ତି। ବିଶେଷ କରି ପଛୁଆ ବର୍ଗଙ୍କ ମଧ୍ୟରେ ଦଳର ଲୋକପ୍ରିୟତା ଓ ପହଞ୍ଚ ବଢ଼ାଇବାରେ ଚହଲଙ୍କ ଲୋକପ୍ରିୟତା ସହାୟକ ହେବ ବୋଲି ଆଶା କରାଯାଉଛି।
୩୬ ବର୍ଷୀୟ ଚହଲ ୨୦୧୬ରେ ଭାରତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ରେ ପାଦ ଥାପିଥିଲେ। ଜଣେ ଦକ୍ଷ ଲେଗ୍ ସ୍ପିନର ଭାବେ ସେ ଦିନିକିଆ ଓ ଟି-୨୦ କ୍ରିକେଟ୍ରେ ନିଜର ଦମ୍ଦାର ପ୍ରଦର୍ଶନ ପାଇଁ ବେଶ୍ ପରିଚିତ। ୨୦୧୯ ଏକଦିବସୀୟ ବିଶ୍ୱକପ୍ରେ ମଧ୍ୟ ସେ ଭାରତୀୟ ଦଳର ସଦସ୍ୟ ଥିଲେ। ବିଶେଷ କରି ମଧ୍ୟମ ଓଭରରେ ନିଜର ଚତୁର ବୋଲିଂ ବଳରେ ବିପକ୍ଷ ଦଳର ୱିକେଟ୍ ହାସଲ କରିବାରେ ତାଙ୍କର ଦକ୍ଷତା ରହିଛି।
ଆଇପିଏଲ୍ରେ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ରାଜସ୍ଥାନ ରୟାଲ୍ସ ଭଳି ଦଳ ପକ୍ଷରୁ ଖେଳି ସେ ନିଜର ବୋଲିଂର ଯାଦୁ ଦେଖାଇଛନ୍ତି। ତେବେ ଚଳିତବର୍ଷ ଅକ୍ଟୋବର ୨ ତାରିଖରେ ସେ ରେଡ୍ ବଲ୍ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ଏବେ ରାଜନୀତିରେ ତାଙ୍କର ନୂଆ ଯାତ୍ରାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

