ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ନିଜର ଦମଦାର ପ୍ରଦର୍ଶନ ପାଇଁ ପରିଚିତ ଭାରତୀୟ କ୍ରିକେଟର ସଞ୍ଜୁ ସାମସନ ଏବେ ମହାନତା ଦେଖାଇ ଜିତିଛନ୍ତି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ। ତାଙ୍କର ମାନବିକତା ଓ ସହାୟତା ଯୋଗୁଁ କେରଳର ଏକ ପରିବାରର ଦୀର୍ଘ ୧୦ ବର୍ଷର ସ୍ୱପ୍ନ ପୂରଣ ହୋଇଛି। ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ଏହି ପରିବାରକୁ ମିଳିଛି ନିଜର ନୂଆ ଘର।
ସୂଚନା ଅନୁସାରେ, ପରିବାରଟି ନିଜର ଘର ନିର୍ମାଣ ପାଇଁ ପ୍ରାୟ ୧୦ ବର୍ଷ ପୂର୍ବେ କାମ ଆରମ୍ଭ କରିଥିଲେ। ହେଲେ ନିର୍ମାଣ ଦାୟିତ୍ୱରେ ଥିବା ବିଲ୍ଡର ଘର କାମ ଶେଷ କରିପାରି ନଥିଲେ। ଫଳରେ ବର୍ଷ ପରେ ବର୍ଷ ବିତିବା ସହ ପରିବାରର ନିଜ ଘର ପାଇବା ଆଶା ମଉଳିବାକୁ ଲାଗିଥିଲା। ଏପରିକି ଦିନେ ନିଜ ଘରେ ରହିବାର ସ୍ୱପ୍ନ ପୂରଣ ହେବ ନାହିଁ ବୋଲି ସେମାନେ ଭାବିବାକୁ ଲାଗିଥିଲେ।
ଏଭଳି ସମୟରେ ସହାୟତାର ହାତ ବଢ଼ାଇଥିଲେ କ୍ରିକେଟର ସଞ୍ଜୁ ସାମସନ। ତାଙ୍କ ଚାରିଟେବୁଲ୍ ଟ୍ରଷ୍ଟ ଏହି ପରିବାରର ଅଧାପନ୍ତରିଆ ଘର ନିର୍ମାଣ କାମ ଶେଷ କରିବାରେ ସହଯୋଗ କରିଥିଲା। ‘ଶ୍ରୀ ଧନ୍ୟା ହୋମ୍ସ’ ପକ୍ଷରୁ ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା।
ସବୁଠାରୁ ଭାବବିହ୍ୱଳ କରିବା ଭଳି ଦୃଶ୍ୟ ଥିଲା ଘରର ଚାବି ହସ୍ତାନ୍ତର ସମୟ। ସଞ୍ଜୁ ସାମସନଙ୍କ ଫାଉଣ୍ଡେସନ ପକ୍ଷରୁ ସେୟାର କରାଯାଇଥିବା ଭିଡିଓରେ ତାଙ୍କ ମା’ ପରିବାରକୁ ନୂଆ ଘରର ଚାବି ପ୍ରଦାନ କରୁଥିବା ଦେଖାଯାଇଛି। ଚାବି ହାତକୁ ଆସିବା ମାତ୍ରେ ପରିବାର ସଦସ୍ୟଙ୍କ ଆଖିରେ ଖୁସିର ଲୁହ ଝରିପଡ଼ିଥିଲା।
ପରିବାରର ମୁଖ୍ୟ କହିଛନ୍ତି ଯେ, ୧୦ ବର୍ଷ ଧରି ନିଜ ଘର ପାଇଁ ଅପେକ୍ଷା କରିବା ପରେ ଏକ ସମୟରେ ସେମାନେ ସମସ୍ତ ଆଶା ଛାଡ଼ି ଦେଇଥିଲେ। କିନ୍ତୁ ସଞ୍ଜୁଙ୍କ ଟିମ୍ ସେମାନଙ୍କ ସ୍ୱପ୍ନକୁ ସତ କରିଦେଲା। ଏହି ସାହାଯ୍ୟ ପାଇଁ ସଞ୍ଜୁଙ୍କୁ ଧନ୍ୟବାଦ ଦେବାକୁ ସେମାନଙ୍କ ପାଖରେ ଶବ୍ଦ ନାହିଁ ବୋଲି ସେ କହିଛନ୍ତି। ସଞ୍ଜୁଙ୍କ ଏହି ମହତ୍ କାର୍ଯ୍ୟ ଏବେ ଚାରିଆଡ଼େ ପ୍ରଶଂସା ସାଉଁଟୁଛି।

