ଭୁବନେଶ୍ୱର: ଧୀରେ ଧୀରେ ଓଡ଼ିଶାରେ ବଢ଼ିବ ଶୀତର ପ୍ରକୋପ। ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟରେ ପାରଦ ୫ରୁ ୬ ଡିଗ୍ରି ଖସିବ। ଏହାଫଳରେ ଅନେକ ଜିଲ୍ଲାରେ ଶୀତ ଅନୁଭୂତ ହେବ। ବିଶେଷକରି କନ୍ଧମାଳ, ଫୁଲବାଣୀ, ଦାରିଙ୍ଗବାଡ଼ି, କୋରାପୁଟ ଓ ସିମିଳିଗୁଡ଼ା ଭଳି ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିବା ଆଶଙ୍କା ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ରାଉରକେଲା, ସୁନ୍ଦରଗଡ଼, ବୌଦ୍ଧ, ଭବାନୀପାଟଣା ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୧ ଡିଗ୍ରି ରହିପାରେ। ଅନ୍ୟପଟେ ଉପକୂଳ ଓଡ଼ିଶାରେ ମଧ୍ୟ ତାପମାତ୍ରା ୩ରୁ ୪ ଡିଗ୍ରି ହ୍ରାସ ପାଇବ। ଫଳରେ ଉପକୂଳବାସୀଙ୍କୁ ମଧ୍ୟ ଶୀତ ଅନୁଭବ ହେବ।
୫ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
ଶୀତ ବଢ଼ିବା ସହ କୁହୁଡ଼ିର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ। ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ହୋଇପାରେ। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ, ମାଲକାନଗିରି ଓ ଖୋର୍ଦ୍ଧା ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବା ସମ୍ଭାବନା ରହିଛି।
କୋରାପୁଟରେ ସବୁଠୁ କମ୍ ତାପମାତ୍ରା
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପାରଦ ୨ରୁ ୩ ଡିଗ୍ରି ହ୍ରାସ ପାଇଛି। ତେବେ ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୬ରୁ ୭ ଡିଗ୍ରି ଅଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଏହା ୪ରୁ ୫ ଡିଗ୍ରି ଅଧିକ ରହିଥିଲା।
ରାଜ୍ୟର କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ରେ ହାଲୁକାରୁ ମଧ୍ୟମ ବର୍ଷା ରେକର୍ଡ ହୋଇଛି। ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ କୁହୁଡ଼ି ଦେଖାଦେଇଛି।
ତାପମାତ୍ରା ରେକର୍ଡ ଅନୁସାରେ, କୋରାପୁଟରେ ୧୪.୨ ଡିଗ୍ରି, ସିମିଳିଗୁଡ଼ାରେ ୧୪.୬ ଡିଗ୍ରି ଓ ଜି. ଉଦୟଗିରିରେ ୧୫.୨ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରହିଥିଲା। ଆଗାମୀ ଦିନରେ ପାରଦ ଆହୁରି ଖସିବାକୁ ଥିବାରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ନିଶ୍ଚିତ।

