ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ : ଘୋଷଣା କଲେ ମନ୍ତ୍ରୀ

ଭୁବନେଶ୍ୱର, ୦୫/୧୦ : ଦୀର୍ଘ ୮ ବର୍ଷର ଅପେକ୍ଷା ପରେ ରାଜ୍ୟରେ ପୁଣି ହେବ ଛାତ୍ରସଂସଦ ନିର୍ବାଚନ। ଛାତ୍ର ନିର୍ବାଚନକୁ ନେଇ ତାରିଖ ଘୋଷଣା ହୋଇଛି। ଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ରସଂସଦ ନିର୍ବାଚନ ହେବ। ଏହାର ପରଦିନ ଅର୍ଥାତ୍ ୧୬ ତାରିଖରେ ହେବ ଶପଥଗ୍ରହଣ ସମାରୋହ। ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଦଶହରା ଛୁଟି ପୂର୍ବରୁ ଛାତ୍ରସଂସଦ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରାଯିବ। ଅକ୍ଟୋବର ୭ ତାରିଖରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ। ୯ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଏହାପରେ ନିର୍ଦ୍ଧାରିତ ସମୟସୂଚୀ ଅନୁସାରେ ଅନ୍ୟାନ୍ୟ ନିର୍ବାଚନୀ ପ୍ରକ୍ରିୟା ସମ୍ପନ୍ନ ହେବ।

ତେବେ କେଉଁ ପଦ୍ଧତିରେ ଛାତ୍ରସଂସଦ ନିର୍ବାଚନ କରାଯିବ, ତାହାକୁ ନେଇ ଉଚ୍ଚଶିକ୍ଷା ବିଭାଗରେ ମାନସ ମନ୍ଥନ ଜାରି ରହିଛି। ନିର୍ବାଚନ କେବଳ ସରକାରୀ କଲେଜରେ ହେବ ନା ଅନୁଦାନପ୍ରାପ୍ତ କଲେଜଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ, ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।

ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସରେ ନିର୍ବାଚନ ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଏପଟେ ରାଜ୍ୟର ୩ ପ୍ରମୁଖ ଛାତ୍ର ସଙ୍ଗଠନ ମଧ୍ୟ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଛାତ୍ରନେତାମାନେ ନିଜ ନିଜ ପତିଆରା ଜାହିର କରିବା ଆରମ୍ଭ କରିଛନ୍ତି।

ବିଶେଷକରି ପ୍ରଥମ ଥର ପାଇଁ କଲେଜରେ ପାଦ ଦେଇଥିବା ନୂଆ ଛାତ୍ରଛାତ୍ରୀଙ୍କ ଉପରେ ଛାତ୍ର ସଙ୍ଗଠନଗୁଡ଼ିକର ନଜର ରହିଛି। କିଏ ସୋସିଆଲ ମିଡିଆରେ ନିଜ ଉପସ୍ଥିତି ଜାହିର କରୁଛି ତ ଆଉ କିଏ ନିଜ ସମର୍ଥକଙ୍କୁ ନେଇ କ୍ୟାମ୍ପସ ମଇଦାନରେ ଲଢ଼େଇ ପାଇଁ ଅଣ୍ଟା ଭିଡ଼ୁଛି।

ଏହାରି ମଧ୍ୟରେ କିଛି ଛାତ୍ରନେତା ଗୋଟିଏ ସଙ୍ଗଠନ ଛାଡ଼ି ଅନ୍ୟ ସଙ୍ଗଠନରେ ସାମିଲ ହେବାକୁ ମଧ୍ୟ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି। ୮ ବର୍ଷ ପରେ ହେବାକୁ ଥିବା ଏହି ଛାତ୍ରସଂସଦ ନିର୍ବାଚନକୁ ନେଇ ଏବେଠାରୁ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ