ଭୁବନେଶ୍ୱର: ବ୍ୟାଙ୍କ ଖାତା ରହିଛି, କିନ୍ତୁ ଦୀର୍ଘଦିନ ହେଲା ଟଙ୍କା ଉଠାଣ କିମ୍ବା କୌଣସି ଟ୍ରାଞ୍ଜାକ୍ସନ କରିନାହାନ୍ତି କି? ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ଚାକିରି ପରିବର୍ତ୍ତନ, ସହର ବଦଳ କିମ୍ବା ନୂଆ ବ୍ୟାଙ୍କ ଖାତା ଖୋଲିବା ପରେ ଅନେକ ଲୋକ ପୁରୁଣା ଖାତାକୁ ଆଉ ବ୍ୟବହାର କରନ୍ତି ନାହିଁ। ଦୀର୍ଘ ସମୟ ଏଭଳି ଖାତା ପଡ଼ି ରହିଲେ ମଧ୍ୟ ତା’ରେ ଥିବା ଟଙ୍କା ହଠାତ୍ ନଷ୍ଟ ହୋଇଯାଏ ନାହିଁ।
୨ ବର୍ଷ ଟ୍ରାଞ୍ଜାକ୍ସନ ନକଲେ କ’ଣ ହୁଏ?
ସେଭିଂସ୍ କିମ୍ବା କରେଣ୍ଟ ଆକାଉଣ୍ଟରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଗ୍ରାହକଙ୍କ ପକ୍ଷରୁ କୌଣସି ଟ୍ରାଞ୍ଜାକ୍ସନ ନହେଲେ, ବ୍ୟାଙ୍କ ଏହାକୁ ‘ଇନଅପରେଟିଭ୍’ ବା ନିଷ୍କ୍ରିୟ ଖାତା ଭାବେ ବର୍ଗୀକରଣ କରିପାରେ।
ତେବେ ଇନଅପରେଟିଭ୍ ହୋଇଗଲେ ଖାତାରେ ଥିବା ଟଙ୍କା ଶେଷ ହୋଇଯାଏ ନାହିଁ। ଟଙ୍କା ଖାତାଧାରୀଙ୍କର ହିଁ ରହିଥାଏ।
ପୁରୁଣା ଖାତାକୁ ପୁଣି ସକ୍ରିୟ କିପରି କରିବେ?
ଇନଅପରେଟିଭ୍ ହୋଇଥିବା ପୁରୁଣା ଖାତାକୁ ପୁଣି ସକ୍ରିୟ କରାଯାଇପାରିବ। ଏଥିପାଇଁ ବ୍ୟାଙ୍କରେ ଆବଶ୍ୟକ KYC ଅପଡେଟ୍ କରିବାକୁ ପଡ଼ିବ। ଏହାପରେ ବ୍ୟାଙ୍କ ପକ୍ଷରୁ ଆବଶ୍ୟକ ଯାଞ୍ଚ କରାଯିବ।
RBIର ନିୟମ ଅନୁସାରେ, ଗ୍ରାହକଙ୍କୁ କେବଳ ଖାତା ଖୋଲିଥିବା ହୋମ୍ ବ୍ରାଞ୍ଚକୁ ଯାଇ KYC ଅପଡେଟ୍ କରିବା ଜରୁରୀ ନୁହେଁ। ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଶାଖାରେ KYC ଅପଡେଟ୍ ସୁବିଧା ଦେବାକୁ ପଡ଼େ। କିଛି ବ୍ୟାଙ୍କରେ ଭିଡିଓ KYCର ସୁବିଧା ମଧ୍ୟ ରହିଛି।
ଆବଶ୍ୟକ KYC ଓ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ବ୍ୟାଙ୍କକୁ ୩ଟି କାର୍ଯ୍ୟଦିବସ ମଧ୍ୟରେ ଇନଅପରେଟିଭ୍ ଖାତାକୁ ସକ୍ରିୟ କରିବାର ପ୍ରକ୍ରିୟା ପୂରା କରିବାକୁ ପଡ଼େ।
୧୦ ବର୍ଷ ଧରି ଟଙ୍କା ଦାବି ନକଲେ?
ଯଦି କୌଣସି ବ୍ୟାଙ୍କ ଖାତାରେ ଥିବା ଟଙ୍କାକୁ ୧୦ ବର୍ଷ ଧରି ଦାବି କରାଯାଇନଥାଏ, ତେବେ ସେହି ଅନକ୍ଲେମ୍ଡ ଟଙ୍କାକୁ ବ୍ୟାଙ୍କ RBIର ‘ଡିପୋଜିଟର ଏଜୁକେସନ୍ ଆଣ୍ଡ ଆୱେରନେସ୍’ (DEA) ଫଣ୍ଡକୁ ଟ୍ରାନ୍ସଫର କରିଥାଏ।
କିନ୍ତୁ ଏହାର ଅର୍ଥ ଟଙ୍କା ସବୁଦିନ ପାଇଁ ହାତଛଡ଼ା ହୋଇଗଲା ନୁହେଁ। ଖାତାଧାରୀ କିମ୍ବା ଯୋଗ୍ୟ ଦାବିଦାର ପରେ ମଧ୍ୟ ସମ୍ପୃକ୍ତ ବ୍ୟାଙ୍କରେ କ୍ଲେମ୍ କରିପାରିବେ। ଯାଞ୍ଚ ପରେ ଯୋଗ୍ୟ ଦାବିଦାରଙ୍କୁ ଟଙ୍କା ଫେରାଇ ଦିଆଯାଏ।
କେଉଁ ବ୍ୟାଙ୍କରେ ଟଙ୍କା ଅଛି ମନେ ନାହିଁ?
ଅନେକ ସମୟରେ ପୁରୁଣା ଖାତା କେଉଁ ବ୍ୟାଙ୍କରେ ଥିଲା ତାହା ମଧ୍ୟ ମନେ ରହେ ନାହିଁ। ଏଭଳି ସ୍ଥିତିରେ RBIର UDGAM (Unclaimed Deposits – Gateway to Access inforMation) ପୋର୍ଟାଲ ମାଧ୍ୟମରେ ଅନକ୍ଲେମ୍ଡ ଡିପୋଜିଟ୍ ସମ୍ପର୍କରେ ଖୋଜିପାରିବେ।
ଏଥିପାଇଁ ନାମ ସହିତ PAN, ଡ୍ରାଇଭିଂ ଲାଇସେନ୍ସ, ଭୋଟର ID, ପାସପୋର୍ଟ କିମ୍ବା ଜନ୍ମତାରିଖ ଭଳି ତଥ୍ୟ ବ୍ୟବହାର କରାଯାଇପାରେ। କିଛି କ୍ଷେତ୍ରରେ ଠିକଣା ଆଧାରରେ ମଧ୍ୟ ଟଙ୍କା ଖୋଜିବାର ସୁବିଧା ରହିଛି।
ତେବେ UDGAM ପୋର୍ଟାଲ କେବଳ ଅନକ୍ଲେମ୍ଡ ଟଙ୍କା କେଉଁଠି ଅଛି ତାହା ଖୋଜିବାରେ ସହାୟତା କରେ। ଟଙ୍କା ଫେରିପାଇବା ପାଇଁ ସମ୍ପୃକ୍ତ ବ୍ୟାଙ୍କ ନିକଟରେ ହିଁ କ୍ଲେମ୍ କରିବାକୁ ପଡ଼ିବ।
ଇନଅପରେଟିଭ୍ ଖାତା ସକ୍ରିୟ କରିବାକୁ ଚାର୍ଜ ଲାଗେ କି?
ନା। RBIର ନିୟମ ଅନୁସାରେ, ଇନଅପରେଟିଭ୍ ଖାତାକୁ ପୁଣି ସକ୍ରିୟ କରିବା ପାଇଁ ବ୍ୟାଙ୍କ ଗ୍ରାହକଙ୍କଠାରୁ କୌଣସି ଚାର୍ଜ ନେଇପାରିବେ ନାହିଁ।
ତେଣୁ ଆପଣଙ୍କର କୌଣସି ପୁରୁଣା ବ୍ୟାଙ୍କ ଖାତା ଥିଲେ ଏବଂ ଦୀର୍ଘଦିନ ଧରି ତାହା ବ୍ୟବହାର କରିନଥିଲେ, ଏହାକୁ ଅଣଦେଖା କରନ୍ତୁ ନାହିଁ। ଖାତାରେ ଟଙ୍କା ଥିଲେ ନିୟମ ଅନୁସାରେ ଆବଶ୍ୟକ ପ୍ରକ୍ରିୟା ପୂରଣ କରି ଏହାକୁ ଫେରିପାଇପାରିବେ।

