ସ୍କୁଲ ହଷ୍ଟେଲରେ ବୁଲୁଛି ଭୂତ, ଧଳା ଶାଢ଼ୀ ପିନ୍ଧି ଡରାଉଛି! ଭୟରେ ଘରକୁ ପଳେଇଲେ ୬୦୦ ଛାତ୍ରଛାତ୍ରୀ

ଅମରାବତୀ: ହଷ୍ଟେଲରେ ଭୂତ ବୁଲୁଥିବା ଗୁଜବ। ରାତିରେ ଶୁଭୁଛି ପାଉଁଜିର ଶବ୍ଦ। ଏପରି ଖବର ପ୍ରଚାର ହେବା ପରେ ଭୟଭୀତ ହୋଇ ପଡ଼ିଛନ୍ତି ଛାତ୍ରଛାତ୍ରୀ। ଏପରିକି ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ଏକ ସରକାରୀ ଆଦିବାସୀ ଆବାସିକ ବିଦ୍ୟାଳୟରୁ ପ୍ରାୟ ୬୦୦ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି ଘରକୁ ଚାଲିଯାଇଥିବା ଜଣାପଡ଼ିଛି।ମେଲଘାଟର ଆଦିବାସୀ ବହୁଳ ଅଞ୍ଚଳ ଚିଖଲଦରା ତହସିଲ ଅଧୀନ ଡୋମା ଗାଁରେ ରହିଛି ଏହି ଆବାସିକ ବିଦ୍ୟାଳୟ। ଏଠାରେ ପ୍ରାୟ ୮୧୦ ଛାତ୍ରଛାତ୍ରୀ ରହି ପାଠ ପଢ଼ୁଥିବା ବେଳେ ଏହା ଜନଜାତି ବିକାଶ ବିଭାଗ ଅଧୀନରେ ପରିଚାଳିତ ହେଉଛି।

ଅଧିକାରୀଙ୍କ ସୂଚନା ଅନୁସାରେ, ଜୁଲାଇ ୨୨ ତାରିଖରେ ହଷ୍ଟେଲର ୪ ଜଣ ଛାତ୍ରୀଙ୍କ ଆଚରଣରେ ହଠାତ୍ ପରିବର୍ତ୍ତନ ଦେଖାଯାଇଥିଲା। ସେମାନେ କେତେବେଳେ କାନ୍ଦୁଥିବା ବେଳେ ଆଉ କେତେବେଳେ ଅକାରଣରେ ହସୁଥିଲେ। ଏହା ଦେଖି ଅନ୍ୟ ଛାତ୍ରଛାତ୍ରୀଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା।ପରେ ଘଟଣାକୁ ନେଇ ‘ଆତ୍ମାର ସାୟା’ ଥିବା ଗୁଜବ ହଷ୍ଟେଲରେ ବ୍ୟାପିବାକୁ ଲାଗିଥିଲା। କିଛି ଛାତ୍ରୀ ରାତିରେ ପାଉଁଜିର ଶବ୍ଦ ଶୁଣିଥିବା ଦାବି କରିବା ପରେ ଭୟ ଆହୁରି ବଢ଼ିଯାଇଥିଲା। ଶେଷରେ ପ୍ରାୟ ୬୦୦ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି ନିଜ ଘରକୁ ଫେରିଯାଇଥିଲେ।ଘଟଣାକୁ ନେଇ ମନୋବିଜ୍ଞାନୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଟିମ୍ ହଷ୍ଟେଲ ପରିଦର୍ଶନ କରିଥିଲେ। ଯାଞ୍ଚ ପରେ ଏହା ପଛରେ କୌଣସି ଅଲୌକିକ ଶକ୍ତି ନୁହେଁ, ବରଂ ଭୟ, ମାନସିକ ଚାପ ଓ ସ୍ଥାନୀୟ ଗୁଜବର ପ୍ରଭାବ ଥିବା ମତ ଦିଆଯାଇଛି।ମନୋବୈଜ୍ଞାନିକ ରିପୋର୍ଟରେ ଏହି ଅଞ୍ଚଳର କିଛି ସ୍ଥାନୀୟ ବିଶ୍ୱାସର ମଧ୍ୟ ଉଲ୍ଲେଖ ରହିଛି।

କୁହାଯାଉଛି, ଆଶ୍ରମ ସ୍କୁଲ୍ ନିର୍ମାଣ ପୂର୍ବରୁ ସେହି ସ୍ଥାନରେ ଏକ ମହୁଲ ଗଛ ଥିଲା। ଗଛରେ ଆତ୍ମା ରହୁଥିବା ବିଶ୍ୱାସ କିଛି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଥିଲା। ଗଛଟି କାଟିଦେବା ପରେ ଆତ୍ମା ରାଗିଯାଇ ଛାତ୍ରଛାତ୍ରୀଙ୍କୁ ହଇରାଣ କରୁଥିବା ଭଳି ଗୁଜବ ମଧ୍ୟ ପ୍ରଚାର ହୋଇଥିଲା।ସେହିପରି ସ୍କୁଲ୍ ପଛପଟେ ଥିବା ସ୍ଥାନୀୟ ଆରାଧ୍ୟ ଦେବତାଙ୍କ ମନ୍ଦିର ଉପରେ ସ୍କୁଲ୍ର ଡ୍ରେନ୍ ପଡ଼ିବାରୁ ଦେବତା ଅସନ୍ତୁଷ୍ଟ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏହାସହ ସ୍କୁଲ୍ ନିକଟରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଥିବା ଏବଂ ତାଙ୍କ ଆତ୍ମା ହଷ୍ଟେଲରେ ଘୁରୁଥିବା ନେଇ ମଧ୍ୟ ଗୁଜବ ରହିଥିଲା।ତେବେ ଏସବୁ ଘଟଣାକୁ ଅଲୌକିକ ଘଟଣା ସହ ଯୋଡ଼ିବା ପରିବର୍ତ୍ତେ ଛାତ୍ରଛାତ୍ରୀଙ୍କ ଭୟ ଓ ମାନସିକ ଚାପକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଘଟଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ଦୂର କରିବା ଏବଂ ସେମାନଙ୍କୁ ମାନସିକ ସହାୟତା ଦେବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ