ସେନା ବାହିନୀକୁ ବଞ୍ଚାଇଥିଲା କୁକୁର, ଗୁଳି ଖାଇ ବି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିଥିଲା : ମିଳିଲା ରାଷ୍ଟ୍ରପତି ପୁରସ୍କାର

ନୂଆଦିଲ୍ଲୀ, ୧୭/୦୮: ଦେଶ ପାଇଁ ଅଦମ୍ୟ ସାହସ ଦେଖାଇଥିବା ଭାରତୀୟ ସେନାର ସ୍ନିଫର ଡଗ୍ ‘ଟାଇସନ୍’କୁ ସାହସିକତା ପାଇଁ ସମ୍ମାନିତ କରାଯାଇଛି। ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅପରେସନ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେ ସେନାକୁ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲା। ସ୍ୱାଧୀନତା ଦିବସ ଅବସରରେ ଘୋଷିତ ରାଷ୍ଟ୍ରପତି ପୁରସ୍କାର ତାଲିକାରେ ମଧ୍ୟ ଟାଇସନର ନାଁ ସ୍ଥାନ ପାଇଛି।

ଟାଇସନ୍ ଏକ ଜର୍ମାନ୍ ସେଫାର୍ଡ୍ ଏବଂ ତାକୁ ଆତଙ୍କବାଦୀ ନିରୋଧୀ ଅପରେସନ ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ଫେବ୍ରୁଆରୀ ୨୨ ତାରିଖରେ ଜମ୍ମୁ-କାଶ୍ମୀରର କିସ୍ତୱାଡ ଜିଲ୍ଲାର ଛତ୍ରୁ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେନା ପକ୍ଷରୁ ‘ଅପରେସନ୍ ତ୍ରାଶି-ଆଇ’ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଟାଇସନ୍ ଆଗକୁ ବଢ଼ିଥିଲା।ଲୁଚିଥିବା ଆତଙ୍କବାଦୀଙ୍କୁ ଠାବ କରିବା ପରେ ଟାଇସନ୍ ସେମାନଙ୍କ ଦିଗକୁ ଦୌଡ଼ି ଯାଇ ଆକ୍ରମଣ କରିଥିଲା। ଏହି ସମୟରେ ଜଣେ ଆତଙ୍କବାଦୀ ତାକୁ ଗୁଳି କରିଥିଲା। ଗୁଳି ତା’ର ଗୋଡ଼ରେ ବାଜିବାରୁ ଟାଇସନ୍ ଗୁରୁତର ଆହତ ହୋଇଥିଲା। ପରେ ତାକୁ ତୁରନ୍ତ ଏୟାରଲିଫ୍ଟ କରି ଚିକିତ୍ସା କରାଯାଇଥିଲା।କିନ୍ତୁ ଗୁଳି ବାଜିବା ପରେ ମଧ୍ୟ ଟାଇସନ୍ ନିଜ ସାହସ ହରାଇନଥିଲା।

ଆହତ ଅବସ୍ଥାରେ ମଧ୍ୟ ସେ ଆତଙ୍କବାଦୀଙ୍କ ଦିଗକୁ ଡେଇଁ ପଡ଼ିଥିଲା ଏବଂ ସେମାନଙ୍କ ଠିକଣା ସମ୍ପର୍କରେ ଯବାନମାନଙ୍କୁ ସଙ୍କେତ ଦେଇଥିଲା। ଟାଇସନର ଏହି ସାହସିକ ପଦକ୍ଷେପ ଯୋଗୁଁ ଯବାନମାନେ ଆତଙ୍କବାଦୀଙ୍କ ଅବସ୍ଥିତି ଜାଣିପାରିଥିଲେ ଏବଂ ଅପରେସନକୁ ସଫଳ କରିପାରିଥିଲେ।ସେନାର ଏଭଳି ବିପଜ୍ଜନକ ଅପରେସନରେ ଟାଇସନ୍ ଭଳି ପ୍ରଶିକ୍ଷିତ କୁକୁରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଯେଉଁ ସ୍ଥାନରେ ଯବାନଙ୍କ ଜୀବନ ପ୍ରତି ବିପଦ ରହିଥାଏ, ସେଠାରେ ଏଭଳି ସ୍ନିଫର ଡଗ୍ ଆତଙ୍କବାଦୀଙ୍କ ଉପସ୍ଥିତି ଠାବ କରିବାରେ ସେନାକୁ ସହାୟତା କରିଥାନ୍ତି। ଟାଇସନର ଏହି ଅଦମ୍ୟ ସାହସ ପାଇଁ ତାକୁ ମିଳିଥିବା ସମ୍ମାନ ସେନାର ଚାରିପାଖରେ ଥିବା ଏଭଳି ବୀର ସହଯୋଗୀମାନଙ୍କ ଭୂମିକାକୁ ପୁଣିଥରେ ସାମ୍ନାକୁ ଆଣିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ