ଭୁବନେଶ୍ୱର, ୧୧।୧୧: ଧୀରେ ଧୀରେ ବଦଳୁଛି ପାଗ। ରାଜ୍ୟରେ ଅନୁଭୂତ ହେଲାଣି ଶୀତର ପ୍ରକୋପ। ସକାଳ ଓ ରାତିରେ ଥଣ୍ଡା ଅନୁଭବ ହେଉଥିବା ବେଳେ ଅନେକ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି। ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୧.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଏହା ସହ ଜି. ଉଦୟଗିରିରେ ୧୨.୪, ଦାରିଙ୍ଗିବାଡ଼ିରେ ୧୪, ଫୁଲବାଣୀ ଓ ଝାରସୁଗୁଡ଼ାରେ ୧୪.୫ ଏବଂ ଭବାନୀପାଟଣାରେ ୧୪.୬ ଡିଗ୍ରୀ ରହିଛି ରାତି ତାପମାତ୍ରା।
କେବଳ ପାହାଡ଼ିଆ ଓ ଆଭ୍ୟନ୍ତରୀଣ ଅଞ୍ଚଳ ନୁହେଁ, ଉପକୂଳ ଓଡ଼ିଶାରେ ମଧ୍ୟ ଶୀତର ପ୍ରଭାବ ଅନୁଭୂତ ହେଲାଣି। ରାଜଧାନୀ ଭୁବନେଶ୍ୱରରେ ରାତି ତାପମାତ୍ରା ୧୮.୫ ଡିଗ୍ରୀ ଥିବାବେଳେ କଟକରେ ୧୭.୪ ଡିଗ୍ରୀ ରେକର୍ଡ ହୋଇଛି। ରାଜ୍ୟର ଅଳ୍ପ କିଛି ସ୍ଥାନକୁ ଛାଡ଼ିଦେଲେ ଅଧିକାଂଶ ଅଞ୍ଚଳରେ ପାରଦ ୨୦ ଡିଗ୍ରୀ ତଳେ ରହିଛି।
ଅନ୍ୟପଟେ ନବରଙ୍ଗପୁରରେ ୧୫, ରାଉରକେଲାରେ ୧୫.୭, ହୀରାକୁଦରେ ୧୬, ସମ୍ବଲପୁର ଓ କିରେଇରେ ୧୬.୨, କେନ୍ଦୁଝର ଓ ରାୟଗଡ଼ାରେ ୧୬.୬ ଏବଂ ଚିପିଲିମାରେ ୧୬.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୩.୫ ଡିଗ୍ରୀ କମ୍ ରହିଥିବା ବେଳେ ଭବାନୀପାଟଣାରେ ୨ ଡିଗ୍ରୀ ଏବଂ ହୀରାକୁଦରେ ୩.୨ ଡିଗ୍ରୀ କମ୍ ରେକର୍ଡ ହୋଇଛି।
କୋରାପୁଟରେ ପାଣିପାଗର ଅଜବ ଚିତ୍ର
କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି ପାଣିପାଗର ଭିନ୍ନ ଚିତ୍ର। କୋରାପୁଟ ସହରରେ ରାତି ତାପମାତ୍ରା ୨୦ ଡିଗ୍ରୀ ରହିଥିବା ବେଳେ ଏହା ସ୍ୱାଭାବିକଠାରୁ ୫.୨ ଡିଗ୍ରୀ ଅଧିକ। କିନ୍ତୁ ସହରଠାରୁ ମାତ୍ର ୨୦ରୁ ୨୨ କିଲୋମିଟର ଦୂରରେ ଥିବା ସେମିଳିଗୁଡ଼ାରେ ପାରଦ ଖସି ୧୧.୬ ଡିଗ୍ରୀରେ ପହଞ୍ଚିଛି। ଅର୍ଥାତ୍ ଉଭୟ ସ୍ଥାନର ତାପମାତ୍ରା ମଧ୍ୟରେ ପ୍ରାୟ ୮.୪ ଡିଗ୍ରୀର ପାର୍ଥକ୍ୟ ରହିଛି।
ଆଗାମୀ ୭ ଦିନ ରହିବ ଶୁଖିଲା ପାଗ
ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ପ୍ରାୟ ୭ ଦିନ ଧରି ରାଜ୍ୟରେ ଏଭଳି ପାଗ ଜାରି ରହିପାରେ। ଏହି ସମୟ ମଧ୍ୟରେ ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ। ତେଣୁ ଶୁଖିଲା ପାଗ ସହ ଶୀତର ଅନୁଭୂତି ଜାରି ରହିବ।
ଅନ୍ୟପଟେ ନଭେମ୍ବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆଇଏମ୍ଡି ଆକଳନ କରିଛି। ତେବେ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା କମ୍ ରହିଛି। ଫଳରେ ଆଗାମୀ ଦିନରେ ରାଜ୍ୟରେ ଶୀତର ଅନୁଭୂତି ଆହୁରି ବଢ଼ିପାରେ।

