ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଶଙ୍କା ବଢ଼ିଛି। ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ନୂତନ ପାଣିପାଗଜନିତ ପରିବର୍ତ୍ତନ ଦେଖାଦେଇଥିବାରୁ ଏହାର ସମ୍ଭାବ୍ୟ ପ୍ରଭାବ ଓ ଗତିବିଧି ଉପରେ ପାଣିପାଗ ବିଶେଷଜ୍ଞମାନେ ନଜର ରଖିଛନ୍ତି।
ଏହାର ପ୍ରଭାବରେ ଶୁକ୍ରବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ନଭେମ୍ବର ୧୪ ସୁଦ୍ଧା ଘନୀଭୂତ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏହା ପରେ ନଭେମ୍ବର ୧୫ ସୁଦ୍ଧା ଅବପାତର ରୂପ ନେବାର ମଧ୍ୟ ସମ୍ଭାବନା ରହିଛି।
ତେବେ ଅବପାତରେ ପରିଣତ ହେବା ପରେ ଏହାର ତୀବ୍ରତା ଓ ଗତିବିଧି କିପରି ରହିବ, ସେନେଇ ଏବେଠାରୁ ସ୍ପଷ୍ଟ ଆକଳନ କରାଯାଇନାହିଁ। ଏହା ଘୂର୍ଣ୍ଣିବାତ୍ୟାର ରୂପ ନେବ କି ନାହିଁ, ସେନେଇ ମଧ୍ୟ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳିନାହିଁ।
କେତେକ ଅନ୍ତର୍ଜାତୀୟ ପାଣିପାଗ ମଡେଲ୍ରେ ଏହା ଘୂର୍ଣ୍ଣିବାତ୍ୟାର ରୂପ ନେବାର ସମ୍ଭାବନା ଦର୍ଶାଯାଇଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସଙ୍କେତ ଦିଆଯାଇନାହିଁ। ତେଣୁ ଆଗାମୀ କିଛି ଦିନ ଧରି ଏହାର ଗତିପଥ ଓ ତୀବ୍ରତା ଉପରେ ନଜର ରଖାଯିବ।
ଓଡ଼ିଶା ଉପରେ ବିଶେଷ ପ୍ରଭାବର ସମ୍ଭାବନା ନାହିଁ।
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ନଭେମ୍ବର ୧୩ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।
ତେବେ ଏହି ପାଣିପାଗର ଓଡ଼ିଶା ଉପରେ କୌଣସି ବଡ଼ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଆକାଶରେ ମେଘ ଦେଖାଯାଇପାରେ, ମାତ୍ର ବର୍ଷାର ସମ୍ଭାବନା କମ୍ ରହିଛି।
ଏପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପୂର୍ବାନୁମାନ କରାଯାଇଛି। ଅର୍ଥାତ୍ ବଙ୍ଗୋପସାଗରରେ ନୂତନ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିଲେ ମଧ୍ୟ ଓଡ଼ିଶାରେ ତୁରନ୍ତ କୌଣସି ବଡ଼ ପାଣିପାଗ ପରିବର୍ତ୍ତନ ହେବାର ଆଶଙ୍କା ନାହିଁ।

