ନୂଆଦିଲ୍ଲୀ: ଜେଜେବାପାଙ୍କ ସମ୍ପତ୍ତିରେ ନାତିଙ୍କର ରହିଛି କି ଜନ୍ମଗତ ଅଧିକାର? ବାପାଙ୍କ ଭାଗକୁ ଆସିଥିବା ସମ୍ପତ୍ତିରେ ପୁଅ ଦାବି କରିପାରିବେ କି? ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତ କହିଛନ୍ତି, ଜେଜେବାପାଙ୍କ ମୃତ୍ୟୁ ପରେ ହିନ୍ଦୁ ଉତ୍ତରାଧିକାର ଆଇନର ଧାରା ୮ ଅନୁସାରେ ବାପାଙ୍କୁ ମିଳିଥିବା ସମ୍ପତ୍ତି ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି। ଏହା ଉପରେ ପୁଅ ଜନ୍ମରୁ ଅଧିକାର ଦାବି କରିପାରିବେ ନାହିଁ।
୨୯ ବର୍ଷର ଆଇନଗତ ଲଢ଼େଇ, ନାତିଙ୍କ ଦାବି ଖାରଜ
ଏହି ମାମଲାଟି ତାମିଲନାଡୁର ଚେନ୍ନାଇର। ଏନ୍. ରାମକୃଷ୍ଣନଙ୍କ ନାମରେ ୧୮୧୧ ବର୍ଗଫୁଟର ଏକ ଜମି ଥିଲା। ତାଙ୍କ ମୃତ୍ୟୁ ପରେ ପୁଅ ଓ ଝିଅଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟନକୁ ନେଇ ବିବାଦ ଦେଖାଦେଇଥିଲା।
୧୯୯୩ ମସିହାରେ ରାମକୃଷ୍ଣନଙ୍କ ଝିଅ ସମ୍ପତ୍ତି ବଣ୍ଟନ ପାଇଁ ଅଦାଲତରେ ମାମଲା କରିଥିଲେ। ଏହାପରେ ୧୯୯୪ରେ ଉଭୟ ପକ୍ଷଙ୍କ ସହମତିରେ କୋର୍ଟଙ୍କ ରାୟ ଅନୁସାରେ ସମ୍ପତ୍ତି ବଣ୍ଟନ ହୋଇଥିଲା। ପରେ ୧୯୯୭ରେ ବାପା ନିଜ ଭାଗରେ ପଡ଼ିଥିବା ଜମିକୁ ବିକ୍ରି କରିଦେଇଥିଲେ।
କିନ୍ତୁ ଏହି ବିକ୍ରିକୁ ନେଇ ଆପତ୍ତି ଉଠାଇଥିଲେ ନାତି। ଜମିଟି ପୈତୃକ ସମ୍ପତ୍ତି ବୋଲି ଦାବି କରିବା ସହ ଏଥିରେ ନିଜର ଅଧା ଅଧିକାର ଥିବା କହିଥିଲେ। ଏଥିପାଇଁ ମାଆଙ୍କ ଜରିଆରେ ୧୯୯୭ରେ ସେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଦୀର୍ଘ ୨୯ ବର୍ଷର ଆଇନଗତ ଲଢ଼େଇ ପରେ ମାମଲାଟି ସୁପ୍ରିମକୋର୍ଟରେ ପହଞ୍ଚିଥିଲା।
କ’ଣ କହିଲେ ସୁପ୍ରିମକୋର୍ଟ?
ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମାସିହ ଏବଂ ଜଷ୍ଟିସ୍ ସୁନିତା ଅଗ୍ରୱାଲଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ହିନ୍ଦୁ ଉତ୍ତରାଧିକାର ଆଇନ, ୧୯୫୬ର ଧାରା ୮କୁ ସ୍ପଷ୍ଟ କରିଛନ୍ତି।
ଏହି ଧାରା ଅନୁସାରେ, ଜେଜେବାପାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତି ପ୍ରଥମ ଶ୍ରେଣୀର ଆଇନଗତ ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟନ ହୋଇଥାଏ। ଏଥିରେ ପତ୍ନୀ, ପୁଅ, ଝିଅ ଓ ମାଆ ସାମିଲ ଅଛନ୍ତି।
ଏହି ଉତ୍ତରାଧିକାରୀଙ୍କୁ ମିଳୁଥିବା ସମ୍ପତ୍ତି ସେମାନଙ୍କ ବ୍ୟକ୍ତିଗତ ସମ୍ପତ୍ତି ଭାବେ ବିବେଚିତ ହୁଏ। ତେଣୁ ବାପାଙ୍କ ଭାଗରେ ପଡ଼ିଥିବା ସମ୍ପତ୍ତି ଉପରେ ପୁଅ ଜନ୍ମଗତ ଅଧିକାର ଦାବି କରିପାରିବେ ନାହିଁ। ବାପା ଚାହିଁଲେ ନିଜ ସମ୍ପତ୍ତିକୁ ବିକ୍ରି, ଦାନ କିମ୍ବା ଅନ୍ୟ କାହା ନାମରେ ହସ୍ତାନ୍ତର କରିପାରିବେ।
ପୈତୃକ ସମ୍ପତ୍ତି ଓ ବ୍ୟକ୍ତିଗତ ସମ୍ପତ୍ତି ମଧ୍ୟରେ ପାର୍ଥକ୍ୟ
ସୁପ୍ରିମକୋର୍ଟ କହିଛନ୍ତି, ପୈତୃକ ବା ଯୌଥ ପରିବାରର ସମ୍ପତ୍ତି ଏବଂ ଉତ୍ତରାଧିକାର ସୂତ୍ରରେ ମିଳିଥିବା ବ୍ୟକ୍ତିଗତ ସମ୍ପତ୍ତି ଏକା ନୁହେଁ।
ପୈତୃକ ସମ୍ପତ୍ତିରେ ଆଇନ ଅନୁସାରେ ପରିବାରର ଯୋଗ୍ୟ ସଦସ୍ୟଙ୍କ ଜନ୍ମଗତ ଅଧିକାର ରହିପାରେ। କିନ୍ତୁ ହିନ୍ଦୁ ଉତ୍ତରାଧିକାର ଆଇନର ଧାରା ୮ ଅନୁସାରେ ବାପାଙ୍କୁ ମିଳିଥିବା ବ୍ୟକ୍ତିଗତ ସମ୍ପତ୍ତିରେ ପୁଅଙ୍କର ଜନ୍ମରୁ କୌଣସି ଅଧିକାର ସୃଷ୍ଟି ହୁଏ ନାହିଁ।
ଏହି ଆଧାରରେ ନାତିଙ୍କ ଦାବିକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ।
ତେବେ ଏହି ରାୟର ଅର୍ଥ ନୁହେଁ ଯେ ପ୍ରତ୍ୟେକ କ୍ଷେତ୍ରରେ ନାତି କିମ୍ବା ନାତୁଣୀ ଜେଜେବାପାଙ୍କ ସମ୍ପତ୍ତିରୁ ବଞ୍ଚିତ ହେବେ। ସମ୍ପତ୍ତିଟି ପୈତୃକ ନା ବ୍ୟକ୍ତିଗତ, ଏହା କିପରି ହସ୍ତାନ୍ତର ହୋଇଛି ଏବଂ ସେଥିରେ କେଉଁ ଆଇନ ଲାଗୁ ହେଉଛି, ତାହା ଉପରେ ଅଧିକାର ନିର୍ଭର କରିବ।

