ସରକାରୀ ବ୍ୟାଙ୍କ ଖାତାରୁ ଗାଏବ ୨୨ କୋଟି, ଅକଳରେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ: ସରକାରୀ ବ୍ୟାଙ୍କ ଖାତାରୁ ଉଭାନ ହୋଇଗଲା ୨୨.୧୦ କୋଟି ଟଙ୍କା। ଏତେ ବଡ଼ ଅର୍ଥରାଶି ଗାଏବ ହେବା ଘଟଣା ଏବେ ତାମିଲନାଡୁରେ ହଇଚଇ ସୃଷ୍ଟି କରିଛି। ଏହି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କ ସରକାରକୁ ଘେରିଛି ବିଜେପି। ସରକାରୀ ଅର୍ଥର ସୁରକ୍ଷା ଏବଂ ପ୍ରଶାସନିକ ବ୍ୟବସ୍ଥାର କାର୍ଯ୍ୟଦକ୍ଷତାକୁ ନେଇ ଦଳ ପ୍ରଶ୍ନ ଉଠାଇଛି।

ପୋଲିସ ସୂଚନା ଅନୁସାରେ, ସରକାରୀ ବ୍ୟାଙ୍କ ଖାତାରୁ ବିପୁଳ ପରିମାଣର ଟଙ୍କା ଉଠାଯାଇଥିବା ଜଣାପଡ଼ିଛି। ଘଟଣାର ଗମ୍ଭୀରତାକୁ ଦେଖି ପୋଲିସ ତଦନ୍ତ ଆରମ୍ଭ କରିଛି। ଏଥିରେ ବ୍ୟାଙ୍କର କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ରହିଛି କି ନାହିଁ, ତାହାର ଖୋଳତାଡ଼ ଚାଲିଛି। ଏଥିସହ ବ୍ୟାଙ୍କର ଗୋପନୀୟ ତଥ୍ୟ ଓ ଆର୍ଥିକ ସୂଚନାକୁ ଦୁରୁପଯୋଗ କରାଯାଇଛି କି ନାହିଁ, ସେ ଦିଗରେ ମଧ୍ୟ ଯାଞ୍ଚ କରାଯାଉଛି।

ଏହି ସାଇବର ଠକେଇ ପଛରେ ନାଇଜେରିଆର ଏକ ଅନ୍ତର୍ଜାତୀୟ ସାଇବର ଅପରାଧୀ ଗ୍ୟାଙ୍ଗର ହାତ ଥାଇପାରେ ବୋଲି ତାମିଲନାଡୁ ପୋଲିସ ସନ୍ଦେହ କରୁଛି। ଟଙ୍କା କେଉଁ କେଉଁ ଆକାଉଣ୍ଟକୁ ଯାଇଛି ଏବଂ ଏହା ପଛରେ କେଉଁମାନେ ରହିଛନ୍ତି, ତାହା ଜାଣିବାକୁ ତଦନ୍ତ ଜାରି ରହିଛି।

ଅନ୍ୟପଟେ ଏହି ଘଟଣାକୁ ନେଇ ବିଜେପି ନେତା ବିନୋଜ ପି ସେଲଭମ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏତେ ବଡ଼ ଧରଣର ଅର୍ଥ ହେରଫେର କିପରି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଟଙ୍କା ଉଠାଣ ସମୟରେ ସରକାରୀ ସୁରକ୍ଷା ବ୍ୟବସ୍ଥା, ଆର୍ଥିକ ନିୟନ୍ତ୍ରଣ ଏବଂ କାରବାର ଉପରେ ନଜର ରଖୁଥିବା ଅଧିକାରୀମାନେ କେଉଁଠି ଥିଲେ ବୋଲି ସେ ପଚାରିଛନ୍ତି।

ବିନୋଜଙ୍କ କହିବା ଅନୁସାରେ, ଏହା କେବଳ ଏକ ସାଧାରଣ ଅନଲାଇନ୍ ଠକେଇ ନୁହେଁ। ବରଂ ସରକାରୀ ସମ୍ପତ୍ତିର ସୁରକ୍ଷା ଓ ପ୍ରଶାସନର ଉତ୍ତରଦାୟିତ୍ୱ ସହ ଜଡ଼ିତ ଏକ ଗମ୍ଭୀର ମାମଲା। ଏତେ ପରିମାଣର ଟଙ୍କା ଖାତାରୁ ଗାଏବ ହେବା ସରକାରୀ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

କେବଳ ସରକାରଙ୍କୁ ନୁହେଁ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ସମର୍ଥକ ଓ ତାଙ୍କ ସୋସିଆଲ ମିଡିଆ ଟିମ୍‌କୁ ମଧ୍ୟ ନିଶାନା କରିଛନ୍ତି ବିଜେପି ନେତା। ତାଙ୍କ କହିବା କଥା ହେଉଛି, ସାରା ବିଶ୍ୱରେ ରାଜନୈତିକ ଦଳଗୁଡ଼ିକର ନିଜସ୍ୱ ଆଇଟି ବିଭାଗ ରହିଛି। କିନ୍ତୁ ତାମିଲନାଡୁରେ ଏକ ଭିନ୍ନ ପରିସ୍ଥିତି ଦେଖାଯାଉଛି। ଏଠାରେ ଅଭିନେତାଙ୍କ ଫ୍ୟାନ୍ କ୍ଲବ୍ ଓ ସୋସିଆଲ ମିଡିଆ ଟିମ୍ ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରାଇବାରୁ ଆଗକୁ ବଢ଼ି ସରକାର ଚଳାଇବାରେ ମଧ୍ୟ ଭୂମିକା ନେଉଥିବା ଭଳି ମନେ ହେଉଛି ବୋଲି ସେ କଟାକ୍ଷ କରିଛନ୍ତି।

ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରାଇବା ଏବଂ ଗୋଟିଏ ରାଜ୍ୟର ପ୍ରଶାସନ ଚଳାଇବା ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ କାମ ବୋଲି ବିଜେପି ନେତା କହିଛନ୍ତି। ଏହି ଘଟଣାକୁ ଆଧାର କରି ତାମିଲନାଡୁ ସରକାରଙ୍କ ପ୍ରଶାସନିକ ଦକ୍ଷତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ